କର୍ମଚାରୀ ନୁହନ୍ତି, ସଙ୍ଗଠନ ସ୍ମାରକପତ୍ର ଦେଇପାରିବେ

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ସରକାରୀ କିମ୍ବା ସରକାରୀ ଅନୁଦାନପ୍ରାପ୍ତ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ସଂକ୍ରାନ୍ତରେ କେବଳ କର୍ମଚାରୀ ସଙ୍ଗଠନ ସ୍ମାରକପତ୍ର ଦେଇପାରିବେ। କୌଣସି କର୍ମଚାରୀ ବ୍ୟକ୍ତିଗତ ଭାବରେ ଦାବିପତ୍ର ପ୍ରଦାନ କରିପାରିବେ ନାହିଁ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଗୁରୁବାର ସ୍ପଷ୍ଟ କରାଯାଇଛି। ରାଜ୍ୟ ସରକାରଙ୍କ କର୍ମଚାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ସଂସ୍ଥାଗୁଡ଼ିକର କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ବାବଦରେ ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ ପକ୍ଷରୁ ଆଗତ ହେଉଥିବା ବିଭିନ୍ନ ଦାବି/ସ୍ମାରକପତ୍ରଗୁଡ଼ିକ ଅନୁଧ୍ୟାନ କରିବା ନିମନ୍ତେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୨୦୨୩ ଫେବୃୟାରୀ ୧୯ ତାରିଖରେ ପ୍ରକାଶିତ ନିର୍ଦ୍ଦେଶନାମା ନଂ. ୪୪୭୯ ଅନୁସାରେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। କମିଟିର ସଦସ୍ୟ-ଆବାହକ ତଥା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଗଣେଶ ଚନ୍ଦ୍ର ପାତ୍ରଙ୍କ ନିକଟରେ ବିଭିନ୍ନ ସଙ୍ଗଠନର ପ୍ରତିନିଧିବୃନ୍ଦ ଉପରୋକ୍ତ ଦାବିପତ୍ରମାନ ସିଧାସଳଖ ସାକ୍ଷାତ କ୍ରମେ କିମ୍ବା ଡାକ ଯୋଗେ ପ୍ରଦାନ କରିପାରିବେ ବୋଲି କୁହାଯାଇଛି।