ସହାୟତା ନୀତି: ଚାଷୀ ଅଲୋଡ଼ା

ଭୁବନେଶ୍ୱର, ୫ା୮(ରବିନାରାୟଣ ଜେନା): ବନ୍ୟା, ବାତ୍ୟା ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀଙ୍କ ଫସଲ ନଷ୍ଟ ହେଲେ ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ଅତ୍ୟନ୍ତ ନଗଣ୍ୟ। ମାତ୍ର ବନ୍ୟଜନ୍ତୁଙ୍କ ଦ୍ୱାରା ଫସଲ ଜମି ନଷ୍ଟ ହେଲେ ବିପର୍ଯ୍ୟୟଠାରୁ ପ୍ରାୟ ୩ଗୁଣା ଅଧିକ ସହାୟତା ମିଳୁଛି। ଚଳିତବର୍ଷ ବନ୍ୟାରେ ଅନେକ ହଜାର ହେକ୍ଟର ଚାଷଜମି ନଷ୍ଟ ହୋଇଥିବା ବେଳେ ସରକାରଙ୍କ ସହାୟତାକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ପ୍ରଶ୍ନ ଉଠାଇଛି। ଚାଷୀମାନେ ହେଉଛନ୍ତି ଅନ୍ନଦାତା। ବନ୍ୟାରେ ସେମାନଙ୍କର ବର୍ଷକର ଭାତହାଣ୍ଡି ଉଜୁଡ଼ି ଯାଇଛି। ସରକାରଙ୍କ ପକ୍ଷରୁ ଯେଉଁ ସହାୟତା ଦିଆଯାଉଛି କିମ୍ବା ଦିଆଯିବାକୁ ଅଛି ତାହା କେବଳ ମନବୁଝିବା ଭଳି। କିନ୍ତୁ ପେଟ ପୂରିବ ନାହିଁ। ଅପରପକ୍ଷରେ ବନ୍ୟା ଓ ବାତ୍ୟା ଆସିଲେ ଠିକାଦାରମାନେ ମାଲାମାଲ୍‌ ହେଉଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ ତୁରନ୍ତ ରିଲିଫ କୋଡ୍‌ର ସଂଶୋଧନ ହେବା ଆବଶ୍ୟକ, ନଚେତ୍‌ ଭାଗଚାଷୀ, ନାମମାତ୍ର ଚାଷୀଙ୍କ ଦୁଃଖ କହିଲେ ସରିବନି ବୋଲି କୃଷକ ସଙ୍ଗଠନଗୁଡ଼ିକ ଅଭିଯୋଗ କରିଛନ୍ତି।
ରାଜ୍ୟରେ ଚଳିତବର୍ଷ ବନ୍ୟା ଯୋଗୁ ୨୨ଟି ଜିଲାର ୮୫ଟି ବ୍ଲକ୍‌, ୧୫ଟି ପୌରାଞ୍ଚଳ, ୬୫୬ଟି ଗ୍ରାମପଞ୍ଚାୟତ ଏବଂ ୧୪୫୮ଟି ଗ୍ରାମ ପ୍ରଭାବିତ ହୋଇଛି। ସରକାରଙ୍କ ପ୍ରାଥମିକ ଆକଳନ ଅନୁଯାୟୀ ବନ୍ୟାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩,୫୬୭ଟି ଘର କ୍ଷତିଗ୍ରସ୍ତ ହୋଇଛି। ସେହିପରି ପ୍ରାୟ ୩୩,୪୫୮.୩୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ଏହି ଆକଳନ ଆଗାମୀ ଦିନରେ ମଧ୍ୟ ବୃଦ୍ଧି ପାଇପାରେ। ଏହି ପରିପ୍ରେକ୍ଷୀରେ ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି, ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଯେଭଳି ଅନୁକମ୍ପା ସହାୟତା ଲୋକଙ୍କୁ ଦିଆଯାଉଛି ତାହା ରିଲିଫ କୋଡ୍‌ରେ ପ୍ରତିଫଳିତ ହେବା କଥା, ନଚେତ୍‌ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବା କଥା। ମାତ୍ର ତାହା କରାଯାଉ ନାହିଁ। ଫଳରେ ନାମମାତ୍ର, ଭାଗଚାଷୀଙ୍କ ଦୁର୍ଦ୍ଦଶା ବଢ଼ି ଯାଉଛି। ସେମାନଙ୍କ ବର୍ଷକର ଫସଲ ଉଜୁଡ଼ି ଯାଉଛି। ଅନ୍ୟପକ୍ଷରେ ରାସ୍ତାଘାଟ ମୁକୁଳା ସଜାଡ଼ିବାକୁ ଠିକାଦାରଙ୍କଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅଣ୍ଟା ଭିଡୁଛନ୍ତି। ହେଲେ ଯେଉଁ ଅନ୍ନଦାତା ଦେଶର ପ୍ରଗତିର ବାହାକ ତାଙ୍କ କଥାକୁ ଗୁରୁତ୍ୱ ଦିଆଯାଉ ନାହିଁ। ଚାଷୀମାନେ ହେକ୍ଟର ପିଛା ୫୦ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରୁଥିବାବେଳେ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩ ମେ’ ୩ରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ସୁରକ୍ଷା ସଂଶୋଧନ ନିୟମ ପ୍ରଣୟନ କରାଯାଇଥିଲା। ନିୟମ ଅନୁଯାୟୀ, ଯଦି ଜଣେ ସାଧାରଣ ଲୋକଙ୍କ ବନ୍ୟଜନ୍ତୁ ତଥା ହାତୀ ଆକ୍ରମଣରେ ମୃତ୍ୟୁ ଘଟେ ତେବେ ୬ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଭାଜପା ସରକାର ସଂଶୋଧନ ଆଣିଥିଲେ। ୨୦୨୫ ଜୁନ୍‌ ୨୧ରେ ବନ୍ୟଜନ୍ତୁ ଦ୍ୱାରା ମୃତ୍ୟୁ ସହାୟତା ରାଶିକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଆଂଶିକ ଘର ଭାଙ୍ଗିଥିଲେ ୧୦ହଜାର ଏବଂ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବାକୁ ରହିଛି। ଏପରି କି ଧାନ ଓ ଅନ୍ୟାନ୍ୟ ଫସଲ ଜମି ଏକର ପିଛା ୨୦ହଜାର ଟଙ୍କା କ୍ଷତିପୂରଣ ଦେବାକୁ ରହିଥିବାବେଳେ ଅର୍ଥକରୀ ଫସଲ ଏକର ପିଛା ୨୫ହଜାର ଟଙ୍କା ଲେଖାଏ ଦେବାକୁ ସରକାରଙ୍କ ବିଜ୍ଞପ୍ତିରେ ରହିଛି। ହେଲେ ରାଜସ୍ବ ବିପର୍ଯ ପରିଚାଳନା ନୀତି ଅନୁସାରେ ବନ୍ୟାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ବାବଦକୁ ୪ଲକ୍ଷ ଟଙ୍କା ଲେଖାଏ ଦିଆଯାଉଥିବାବେଳେ ଘରବାଡ଼ି କ୍ଷତିଗ୍ରସ୍ତ ପରିବାରମାନଙ୍କ ପାଇଁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ମରାମତି ନିମନ୍ତେ ୧.୨୦ ଲକ୍ଷ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬,୫୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪,୦୦୦ ଟଙ୍କା, ଭାଙ୍ଗିଯାଇଥିବା କୁଡ଼ିଆ ଘର ପାଇଁ ୮,୦୦୦ ଟଙ୍କା ଓ ଗୁହାଳ ଘର ପାଇଁ ୩,୦୦୦ ଟଙ୍କା ଦିଆଯିବାକୁ ରହିଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଫସଲ ବା ଉଦ୍ୟାନ କ୍ଷୟକ୍ଷତି ନିମନ୍ତେ ଅଣଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମି ଲାଗି ୧୭,୦୦୦ ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ହିସାବରେ ସହାୟତା ଯୋଗାଇ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି।
ବିପର୍ଯ୍ୟୟଜନିତ ମୃତ୍ୟୁ ଏବଂ ବନ୍ୟଜନ୍ତୁଙ୍କ ଦ୍ୱାରା ମୃତ୍ୟୁଜନିତ ଅନୁକମ୍ପାମୂଳକ ସହାୟତା ରାଶିରେ ବ୍ୟାପକ ଅନ୍ତର ରହିଥିବାବେଳେ ଉଜୁଡି ଯାଇଥିବା ୩୫ହଜାର ହେକ୍ଟର ଚାଷ ପାଇଁ ଚାଷୀଙ୍କୁ ଯେଉଁ ସହାୟତା ମିଳିବ ତାହା ଅତ୍ୟନ୍ତ ନଗଣ୍ୟ ବୋଲି କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଜାତୀୟ ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠି(ଏନ୍‌ଡିଆର୍‌ଏଫ୍‌) ପକ୍ଷରୁ ଯେଉଁ ରିଲିଫ କୋଡ୍‌ ରହିଛି ତାକୁ ନେଇ ବନ୍ୟା, ବାତ୍ୟା ବିପର୍ଯ୍ୟୟରେ ସହାୟତା ପ୍ରଦାନ କରାଯାଉଛି। ତେବେ ରିଲିଫ କୋଡ୍‌ରେ ସଂଶୋଧନ ପାଇଁ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବାକୁ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Odisha’s No.1 Odia Daily