ଦୈନିକ ସାଢ଼େ ୪ ଘଣ୍ଟା ଚାଲିବ ବିଧାନସଭା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଆସନ୍ତା ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ତେବେ ଏହି ଅଧିବେଶନ କରୋନା କଟକଣା ମଧ୍ୟରେ ସମ୍ପନ୍ନ ହେବ। ଦୈନିକ ସାଢ଼େ୪ ଘଣ୍ଟା ଚାଲିବ। ସକାଳ ୧୦ଟା ୩୦ ମିନିଟ୍‌ରୁ ମଧ୍ୟାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ୫ଟା ଯାଏ ଗୃହ କାର୍ଯ୍ୟ ଚାଲିବ। ତେବେ ଶନିବାର ସକାଳ ୮ଟାରୁ ବିଧାୟକ ଓ ବିଧାନସଭା କର୍ମଚାରୀମାନଙ୍କର କରୋନା ଟେଷ୍ଟ କରାଯିବ। ଶୁକ୍ରବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
କରୋନା କଟକଣା ମଧ୍ୟରେ ଗୃହ କିପରି ପରିଚାଳିତ ହେବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକ ଶେଷରେ ବାଚସ୍ପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭା କାର୍ଯ୍ୟ ବିଧି ଅନୁଯାୟୀ ଗୃହ ପରିଚାଳନା ହେବ। କ୍ୱେଶ୍ଚିନ ଆୱାରକୁ ଛାଡି ଅନ୍ୟ ସମସ୍ତ କାର୍ଯ୍ୟ ହେବ। ତେବେ କ୍ୱେଶ୍ଚିନ ଆୱାର ହେବ କି ନାହିଁ ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀ, ବିଧାନସଭାର ଦୁଇ ପୂର୍ବତନ ସଦସ୍ୟ ସ୍ବର୍ଗତ ବିଷ୍ଣୁ ଦାସ ଓ ମଦନ ମୋହନ ଦତ୍ତ ଏବଂ ଅନ୍ୟ ସଦସ୍ୟମାନଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବ। ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ ଘୋଷଣା କରାଯିବ। ପୁଣି ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଛନ୍ତି ଯେ, ବିଧାୟକମାନଙ୍କୁ ଦର୍ଶକ ଗ୍ୟାଲେରି, ବାଚସ୍ପତିଙ୍କ ଗ୍ୟାଲେରି ଏବଂ ଗୃହରେ ବସିବା ବ୍ୟବସ୍ଥା କରାଯାଇଛି। ୧୪୫ ଜଣ ବିଧାୟକଙ୍କ ପାଇଁ ବ୍ୟବସ୍ଥା ହୋଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟ ବିଧାୟକମାନେ ସାମିଲ ହୋଇଥିଲେ।