ଠିକ୍‌ ସମୟରେ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଦେଢମାସ ମଧ୍ୟରେ ନିଶ୍ଚିତ ବସିବ। ସେପ୍ଟେମ୍ବର ୩୦ ପୂର୍ବରୁ ହିଁ ଅଧିବେଶନ ହେବ ବୋଲି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଟୁଇଟ୍‌ ଯୋଗେ ବୁଧବାର ସୂଚନା ଦେଇଛନ୍ତି। ନିୟମାନୁଯାୟୀ ସେପ୍ଟେମ୍ବର ୩୦ ସୁଦ୍ଧା ଅଧିବେଶନ ବସିବା କଥା। ମାତ୍ର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏ ନେଇ ତାରିଖ ଚୂଡାନ୍ତ ହୋଇ ନ ଥିବା ଜଣାପଡିଛି। ହେଲେ ସମୟ ଭିତରେ ବିଧାନସଭା ବସିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ବୋଲି ଜଣାପଡିଛି। ନିକଟରେ ସରକାର ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚକାଟ କରିବା ଲାଗି ଅର୍ଥ ବିଭାଗ ପକ୍ଷରୁ ସର୍କୁଲାର ଜାରି କରିଥିଲେ। ସେହି ଅନୁଯାୟୀ କେଉଁ ବିଭାଗର କେଉଁ ଯୋଜନାରୁ ଖର୍ଚ୍ଚ କାଟ କରିବେ ସେନେଇ ବିଧାନସଭାରେ ନିଷ୍ପତ୍ତି ହୋଇପାରେ ବୋଲି ଜଣାପଡିଛି। ବାଚସ୍ପତି ପାତ୍ର ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି, ଅଧିବେଶନ ନେଇ ଚୂଡ଼ାନ୍ତ ତାରିଖ କିମ୍ବା ସ୍ଥାନ ନିର୍ଦ୍ଧାରଣ ହୋଇନାହିଁ। କୋଭିଡ୍‌ କଟକଣାରେ ଗୃହ ପରିଚାଳନା ନେଇ ଲୋକସଭା ବାଚସ୍ପତିଙ୍କ ସମେତ କର୍ନାଟକ ଓ ରାଜସ୍ଥାନ ବାଚସ୍ପତିଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ସହ ଆଲୋଚନା କରିବାପରେ ଅଧିବେଶନ ଲାଗି ଚୂଡ଼ାନ୍ତ ତାରିଖ ସ୍ଥିର ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୩୦ରେ ଲୋକସେବା ଭବନ କନ୍‌ଭେନ୍‌ଶନ ହଲ୍‌ରେ ବିଧାନସଭା ଅଧିବେଶନ ଅନୁଷ୍ଠିତ ହୋଇଥିଲା।