ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା ଆରମ୍ଭ କରିଛନ୍ତି। କିନ୍ତୁ କଳାକାରମାନଙ୍କର ଅଭିଯୋଗର ସମାଧାନ ପାଇଁ କୌଣସି ଅଧିକାରୀ ଧାରଣାସ୍ଥଳକୁ ଯାଇ ନ ଥିବା କଳାକାରମାନେ କହିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଧାରଣାସ୍ଥଳରେ ପୋଲିସ କର୍ମଚାରୀ କେହି ନ ଥିବାରୁ କିଛି ନିଶାଗ୍ରସ୍ତ ବ୍ୟକ୍ତି ଧାରଣାକାରୀଙ୍କୁ ଧାରଣା ପ୍ରତ୍ୟାହୃତ କରିବାକୁ ଧମକ ଦେଉଥିବା କଳାକାରମାନେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି। ଅପରପକ୍ଷେ ଆସନ୍ତା ମେ’ ୨୦ରୁ ଧାରଣା ଦେବା ପରିବର୍ତ୍ତେ ଆମରଣ ଅନଶନ ଆରମ୍ଭ କରାଯିବ ବୋଲି କଳାକାରମାନେ ସୂଚନା ଦେଇଛନ୍ତି।

ହାଟଡିହୀ ବ୍ଲକ କଳା ସଂସ୍କୃତି ସଂଘ (ବିକେଏସଏସ)କୁ ୨୦୧୧ରୁ ଆସିଥିବା ସରକାରୀ ଅନୁଦାନ ସହ କଳାକାର ନାମ ପଞ୍ଜୀକରଣ ବାବଦରେ ଆଦାୟ ଅର୍ଥ ହେରଫେରର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ନିମନ୍ତେ କଳାକାରମାନେ ଅଭିଯୋଗ କରିଥିଲେ। ଘଟଣାର ସତ୍ୟତା ଉନ୍ମୋଚନ ପାଇଁ ଫାଇଲ,ବ୍ୟାଙ୍କ ପାସ୍‌ବହି, କ୍ୟାଶ୍‌ବହି, ପ୍ରାପ୍ତ ଏବଂ ଖର୍ଚ୍ଚ ହୋଇଥିବା ଅନୁଦାନର ନଥିପତ୍ର, ରେଜୁଲେଶନ ରେଜିଷ୍ଟର ପ୍ରଭୃତି ଯାଞ୍ଚ ସହ ତଦନ୍ତ ପାଇଁ ଅଭିଯୋଗରେ ଉଲ୍ଲେଖ କରିଥିଲେ। ଏଥିସହ ଅନୁଦାନ ଅନିୟମିତତା ଏବଂ ହେରଫେରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବିଭାଗୀୟ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ମଧ୍ୟ କରିଥିଲେ। କୌଣସି ସୁଫଳ ନ ମିଳିବାରୁ କଳାକାରମାନେ ଧାରଣା ପନ୍ଥା ଅବଲମ୍ବନ କରିଛନ୍ତି। ବିଡିଓ ରଞ୍ଜନ କୁମାର ପରିଡ଼ା କହିଛନ୍ତି, କଳାକାରମାନେ ଆଣିଥିବା ଦୁର୍ନୀତି ଅଭିଯୋଗ ମୋ’ ସମୟରେ ନୁହେଁ ଏବଂ ସେ ସମୟର କୌଣସି ରେକର୍ଡ ନାହିଁ। ଅଭିଯୋଗ ଦିଗରେ ଏକ ରିପୋର୍ଟ ଜିଲାପାଳଙ୍କୁ ପଠାଇଛୁ। ଧାରଣାକାରୀଙ୍କ ସହ ଆଲୋଚନା କରି ଧାରଣା ପ୍ରତ୍ୟାହୃତ କରାଇବାକୁ ଏବିଡିଓ ଏବଂ ବିଏସ୍‌ଏସ୍‌ଓଙ୍କୁ କହିଛି।

ଅପରପକ୍ଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ(ବିଏସଏସଓ) ସ୍ବାତୀ ସିଂ କଳାକାରମାନଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଯେ, ବ୍ଲକ କଳା ସଂସ୍କୃତି ସଂଘ ଗତ ୨୨ ଅଗଷ୍ଟ ୨୦୧୧ ରେ ଆରମ୍ଭ ହୋଇଥିବା ବେଳେ ସଂଘର କୌଣସି କ୍ୟାଶ୍‌ବହି କିମ୍ବା ବ୍ୟାଙ୍କ ପାସ୍‌ବହି ନାହିଁ। ଗତ ୬ ଡିସେମ୍ବର ୨୦୨୫ରେ ହାଟଡିହୀ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ନୂଆ କରି ଖୋଲା ଯାଇଥିବା ଏକ ବ୍ୟାଙ୍କ ପାସ୍‌ବହି ଉପଲବ୍ଧ ଅଛି। ଯାହାର ଆକାଉଣ୍ଟ ନଂ ୫୪୦୮୧୦୨୧୦୦୦୦୨୩୪ ଅଟେ।

Dharitri – Odisha’s No.1 Odia Daily

Share