କଳାକାରଙ୍କୁ ମିଳୁନି ଭତ୍ତା, ପରିବାର ପ୍ରତିପୋଷଣରେ ଅର୍ଥ ସାଜିଛି ବାଧକ

କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରଙ୍କ କଳାକାର ଭତ୍ତାରୁ ବଞ୍ଚିତ ସଦର ବ୍ଲକ କାଳିଆବେଡ଼ା ଗ୍ରାମର ମହିଳା ପାଲା ଗାୟିକା ଯଶୋଦା ବାରିକ ଦୁଃଖ ଦୁର୍ଦ୍ଦଶାରେ ରହୁଛନ୍ତି। ଏଥିପାଇଁ କଳାକାର ଭତ୍ତା ପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଦୀର୍ଘ ବର୍ଷ ଧରି ପାଲା ସଂସ୍କୃତିକୁ ବଜାୟ ରଖିବା ସହ ଏହା ମାଧ୍ୟମରେ ପରିବାର ପୋଷଣ କରିବାକୁ ଯଶୋଦା ପାଲା ଗାୟିକା ବୃତ୍ତିକୁ ଆଦରିଛନ୍ତି। ଜିଲା ଓ ବାହାରେ ବିଭିନ୍ନ ଅଞ୍ଚଳରେ ପାଲା ପରିବେଷଣ କରି ବହୁ ପ୍ରଶଂସା ବି ପାଇଛନ୍ତି। ଯାହା ପାରିଶ୍ରମିକ ମିଳେ ସେଥିରେ ଖୁସିରେ ପରିବାର ପ୍ରତିପୋଷଣ କରିଆସୁଥିଲେ। ତେବେ ଆଜକୁ ୬ ବର୍ଷ ତଳେ ଗାଡ଼ିରୁ ଖସି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଯୋଗୁ ତାଙ୍କର ସ୍ମରଣଶକ୍ତି ହରାଇ ବସିଥିତ୍ଲେ। ଫଳରେ ଆଗଭଳି ପାଲା ପରିବେଷଣ କରିବାରେ ଅସମର୍ଥ ହୋଇପଡ଼ିଛନ୍ତି। ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଏହା ମଧ୍ୟରେ ସରକାରଙ୍କ ଅଭାବ ଅସୁବିଧାରେ ଥିବା କଳାକାରମାନଙ୍କୁ ଭତ୍ତା ପ୍ରଦାନ ପାଇଁ ଘୋଷଣା କରିବାରୁ ୨୦୨୧ରେ ସେ ଆବେଦନ କରିଥିଲେ। ଦରଖାସ୍ତ ଗ୍ରହଣ କରିବା ସହ ଅଡିଶନରେ କୃତକାର୍ଯ୍ୟ ହୋଇଥିଲେ ବୋଲି ଯଶୋଦା କହିଛନ୍ତି। ତେବେ ତାଙ୍କ ନାମ ଓ୍ବେଟିଂ ଲିଷ୍ଟରେ ରଖାଯିବା ଫଳରେ ସେ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ୪୦ ବର୍ଷରେ ଏହି ମହିଳାଙ୍କୁ କଳାକାର ଭତ୍ତା ପ୍ରଦାନ କରିବାକୁ ସରକାର ଧାର୍ଯ୍ୟ କରିଥିବା ବେଳେ ତାଙ୍କ ବୟସ ଏବେ ୫୩ ହେଲାଣି। ଏଣୁ ଅନ୍ୟ କାମଧନ୍ଦା କରିପାରୁ ନ ଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ସଦର ବ୍ଲକରେ ଦେହାନ୍ତ ହୋଇଥିବା କଳାକାରଙ୍କ ସ୍ଥାନରେ ତାଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କଲେ ଅନ୍ୟ ଜଣେ ଦୁସ୍ଥ କଳାକାର ବଞ୍ଚିଯାଇ ପାରନ୍ତେ ବୋଲି ପ୍ରସନ୍ନ କୁମାର ଦାସ, ପ୍ରସନ୍ନ କୁମାର ଲେଙ୍କାଙ୍କ ସମେତ ବହୁ ପାଲା କଳାକାର ନିବେଦନ କରିଛନ୍ତି।