ଦେବତାଙ୍କ ମଧ୍ୟରେ ଇନ୍ଦ୍ର ଶ୍ରେଷ୍ଠ। ଏଣୁ ଏହି ପଦବୀକୁ ଶ୍ରେଷ୍ଠତ୍ୱର ପ୍ରତୀକ ଭାବେ ବିବେଚନା କରାଯାଇଥାଏ। ଏହା ଏକ ଲୋଭନୀୟ ପଦବୀ ହୋଇଥିଲେ ମଧ୍ୟ ସ୍ଥାୟୀ ନୁହେଁ। ପଦବୀଟି କେତେବେଳେ କିଏ ଅଧିକାର କରିନେବ ତାହା ଜାଣିବା କଷ୍ଟକର। ବ୍ରତରେ ହେଉ ବା ନିଷ୍ଠାରେ, ତପସ୍ୟା, ଧ୍ୟାନ ଅବା ଜୋରକରି ଯେ କେହି ବ୍ୟକ୍ତି ଏହି ପଦ ଦଖଲ କରିପାରିବେ। ସେଥିଯୋଗୁ ଇନ୍ଦ୍ର ସର୍ବଦା ଶଙ୍କାଗ୍ରସ୍ତ ହୋଇ ରହିଥାନ୍ତି।
ପଦବୀର ସୁରକ୍ଷା ନିମନ୍ତେ ସେ ସଦାସର୍ବଦା ଆବଶ୍ୟକ ପନ୍ଥା ଅବଲମ୍ବନ କରିଥାନ୍ତିି। ଇନ୍ଦ୍ରତୁଲ୍ୟ ପଦବୀର ମାନସିକତା ବର୍ତ୍ତମାନ ସମୟରେ ମଧ୍ୟ ରହିଥିବା ଦେଖାଯାଉଛି। ଆସନର ସୁରକ୍ଷା ନିମନ୍ତେ ବିଭିନ୍ନ କୌଶଳ ଅବଲମ୍ବନ କରାଯାଉଛି।
ପୁରାଣ ପୃଷ୍ଠାରୁ ଇନ୍ଦ୍ରଙ୍କ ପଦବୀ ମୋହ ସମ୍ପର୍କରେ ଏବେ ଜାଣିବା। ଧ୍ରୁବ ବଂଶୀୟ ରାଜା ପୃଥୁ ବ୍ରହ୍ମାବର୍ତ୍ତ କ୍ଷେତ୍ରରେ ଶହେ ଅଶ୍ୱମେଧ ଯଜ୍ଞ କରିବା ନିମନ୍ତେ ଦୀକ୍ଷା ନେଲେ। ପୃଥୁଙ୍କର ଏହି ଧାର୍ମିକ କାର୍ଯ୍ୟ କାଳେ ଶ୍ରେଷ୍ଠତମ ହୋଇଯିବ ଏବଂ ତାଙ୍କ ପଦବୀ ଚାଲିଯିବ ଭାବି ଦେବରାଜ ଯଜ୍ଞାନୁଷ୍ଠାନକୁ ସହ୍ୟ କଲେ ନାହିଁ। ଫଳରେ ଯଜ୍ଞରେ ବାଧା ସୃଷ୍ଟି ନିମନ୍ତେ ଇନ୍ଦ୍ର ଛଦ୍ମ ବେଶରେ ଯଜ୍ଞ ଅଶ୍ୱ ଅପହରଣ କଲେ। କିନ୍ତୁ ଯାଜ୍ଞିକ ଅତ୍ରି ମୁନିଙ୍କ ଆଦେଶରେ ପୃଥୁଙ୍କ ପୁତ୍ର ବିଜିତାଶ୍ୱ ଇନ୍ଦ୍ରଙ୍କ ପଶ୍ଚାତ୍ଧାବନ କରି ଅଶ୍ୱ ଉଦ୍ଧାର କରିଥିଲେ। ଏହାସତ୍ତ୍ୱେ ଦ୍ୱିତୀୟ ଥର ପାଇଁ କାପାଳିକ ରୂପ ଧାରଣ କରି ଯଜ୍ଞଅଶ୍ୱ ନେବାକୁ ଇନ୍ଦ୍ର ଉଦ୍ୟମ କଲେ। ଏଥର ମଧ୍ୟ ବିଜିତାଶ୍ୱ ଶର ସନ୍ଧାନ କରିବାରୁ ଇନ୍ଦ୍ର ଅଶ୍ୱ ଛାଡ଼ି ପଳାଇଲେ। ଏଣୁ ଆସନର ସୁରକ୍ଷା ନିମନ୍ତେ ଯେଉଁ ରୂପ ଧାରଣ କରି ଇନ୍ଦ୍ର ଯଜ୍ଞରେ ବିଘ୍ନ ଘଟାଇବାକୁ ଚେଷ୍ଟା କରିଥିଲେ ସେ ରୂପ ପୁରାଣରେ ପାଖଣ୍ଡର ଚିହ୍ନ ହୋଇ ରହିଗଲା।
ଦିନେ କଣ୍ଡୁ ଋଷି ଘୋର ପ୍ରାର୍ଥନାରେ ରତ ଥିଲେ। ଏହି ପ୍ରାର୍ଥନାରେ ସିଦ୍ଧି ଲାଭ କରି କାଳେ ସେ ଇନ୍ଦ୍ରପଦ ପ୍ରାପ୍ତ ହୋଇଯିବେ ସେହି ଭୟରେ ଋଷିଙ୍କ ଧ୍ୟାନ ଭଗ୍ନ କରିବା ନିମନ୍ତେ ପ୍ରମ୍ଲୋଚା ନାମ୍ନୀ ଜଣେ ଅପସରାଙ୍କୁ ଇନ୍ଦ୍ର ପଠାଇଥିଲେ। ପ୍ରମ୍ଲୋଚାଙ୍କ ଯୋଗୁ କଣ୍ଡୁ ଋଷିଙ୍କ ଧାନ୍ୟ ଭଗ୍ନ ହେଲା। ଅପ୍ସରା ତାଙ୍କ କାମଗ୍ରସ୍ତ କରିବାରେ ସମର୍ଥ ହେଲେ। ଉଭୟଙ୍କ ମିଳନରୁ ଜନ୍ମ ନେଲା ଏକ ସୁନ୍ଦରୀ କନ୍ୟା ସନ୍ତାନ। ତେବେ ଉଭୟେ କନ୍ୟା ସନ୍ତାନଟିକୁ ଛାଡ଼ି ଚାଲିଗଲେ। ବୃକ୍ଷମାନଙ୍କର ରାଜା ସୋମ ଏହି କନ୍ୟାକୁ ପାଳନ କରି ଏହାର ନାମ ଦେଇଥିଲେ ମାରୀଷା। ପରବର୍ତ୍ତୀ ସମୟରେ ମାରୀଷାଙ୍କଠାରୁ ଦକ୍ଷଙ୍କର ପୁନର୍ଜନ୍ମ ହୋଇଥିଲା।
ନିଜ ପଦବୀର ସୁରକ୍ଷା ନିମନ୍ତ ଇନ୍ଦ୍ର ଯେ ବିଭିନ୍ନ କୌଶଳ ଅବଲମ୍ବନ କରିପାରନ୍ତି ତାହା ଉପରୋକ୍ତ ପୌରାଣିକ ଆଖ୍ୟାନ ସୂଚିତ କରେ। କାରଣ ଦିନେ ପ୍ରହ୍ଲାଦ ଇନ୍ଦ୍ର ପଦବୀରେ ବସିଥିଲେ। ରାଜା ନହୁଷ ମଧ୍ୟ ଇନ୍ଦ୍ର ପଦବୀରେ ରହିଥିଲେ। ବିଭିନ୍ନ କାରଣରୁ ସେମାନଙ୍କର ପତନ ଘଟିଥିଲା।
ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତେ ଇନ୍ଦ୍ର ଯେପରି ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିପାରନ୍ତି ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ଇନ୍ଦ୍ରଗଣ ନିଜ ପଦବୀର ସୁରକ୍ଷା ନିମନ୍ତେ ଅନୁରୂପ ପନ୍ଥା ଅବଲମ୍ବନ କରୁଥିବା ଦେଖାଯାଉଛି। ଦେଖିବା ୧୯୭୪ ମସିହାର କଥା। ପ୍ରଧାନମନ୍ତ୍ରୀ ରହିଥାନ୍ତି କଂଗ୍ରେସର ଇନ୍ଦିରା ଗାନ୍ଧୀ। ଏହି ସମୟରେ ବେକାରି, ଦରଦାମ୍ ବୃଦ୍ଧିକୁ ନେଇ ଦେଶରେ ଏକ ବଡ଼ ଧରଣର ଆନ୍ଦୋଳନ ବିହାରରୁ ଆରମ୍ଭ ହେଲା। ବିହାର ଛାତ୍ର ସଂଘର୍ଷ ସମିତି ଏହି ଆନ୍ଦୋଳନ ଆରମ୍ଭ କରିଥିଲା। ଦୀର୍ଘ ଦିନ କଂଗ୍ରେସ ଶାସନର ମନମାନିରେ ଅତିଷ୍ଠ ହୋଇ ଏହି ସମୟରେ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣ ସମ୍ପୂର୍ଣ୍ଣ କ୍ରାନ୍ତି ଡାକରା ଦେଲେ। ଏହାକୁ ଏକ ସାମାଜିକ ତଥା ରାଜନୈତିକ ଆନ୍ଦୋଳନ ବୋଲି କୁହାଯାଇପାରେ। ଦେଶରେ ଅଚଳାବସ୍ଥା ସୃଷ୍ଟି ହେଲା। କ୍ଷମତାରେ ଥାଇ ଇନ୍ଦିରା ଗାନ୍ଧୀ ଜରୁରୀ ପରିସ୍ଥିତି ଜାରି କଲେ। ବହୁ ନେତାଙ୍କୁ ଜେଲରେ ରଖାଗଲା। ଏହା ପୂର୍ବରୁ ଇନ୍ଦିରାଙ୍କୁ ଶାସନରୁ ହଟାଇବା ନିମନ୍ତେ ୧୯୭୧ରେ ‘ଇନ୍ଦିରା ହଟାଓ, ଦେଶ ବଚାଓ’ ସ୍ଲୋଗାନ ବିରୋଧୀ ଦଳ ଦେଇଥିଲେ। କିନ୍ତୁ ଗରିବୀ ହଟାଓ, ଦେଶ ବଚାଓ ନାରା ଦେଇ ଇନ୍ଦିରା ବିରୋଧୀଙ୍କ ମୁକାବିଲା କରି ଗାଦି ବଜାୟ ରଖିପାରିଥିଲେ। ତେବେ ଜରୁରୀ ପରିସ୍ଥିତିର ଅଗଣତାନ୍ତ୍ରିକ କାର୍ଯ୍ୟାନୁଷ୍ଠାନ ଓ ମିଶା ଆଇନର ଦୁରୁପଯୋଗ ଯୋଗୁ ଜରୁରୀ ପରବର୍ତ୍ତୀ ୧୯୭୭ ମସିହା ନିର୍ବାଚନରେ ତାଙ୍କୁ ଗାଦିଚ୍ୟୁତ ହେବାକୁ ପଡ଼ିଥିଲା ଓ ଦେଶରେ ପ୍ରଥମ ଅଣକଂଗ୍ରେସ ସରକାର କ୍ଷମତାସୀନ ହୋଇଥିଲା। ଗଣତାନ୍ତ୍ରିକ ବ୍ୟବସ୍ଥାର ଇନ୍ଦ୍ରମାନେ ମଧ୍ୟ ସ୍ଥାୟୀ ନୁହନ୍ତି ତାହା ଏଠାରେ ପ୍ରମାଣିତ ହେଲା। ବ୍ୟବସ୍ଥାରେ ଜନତାଙ୍କ ସ୍ବର ପ୍ରାଥମିକତା ପାଇବା ଆବଶ୍ୟକ। ଏହି ସ୍ବରକୁ ଚାପିବାର ପରିଣତି ଇନ୍ଦିରା ଗାନ୍ଧୀଙ୍କୁ ଭୋଗ କରିବାକୁ ପଡ଼ିଥିଲା। ଆଇନ ଜନସାଧାରଣଙ୍କ କଲ୍ୟାଣ ପାଇଁ କରାଯାଇଛି, ଏହା ଦମନ ପାଇଁ ନୁହେଁ। ଦମନମୂଳକ ନୀତିର ପରିଣାମ ଇନ୍ଦିରାଙ୍କୁ ଭୋଗ କରିବାକୁ ପଡ଼ିଥିଲା।
ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ପଦବୀ ହେଉଛି ପ୍ରଧାନ ବିଚାରପତି। ତେବେ ବର୍ତ୍ତମାନର ଅଭାବନୀୟ ପରିସ୍ଥିତିଟି ହେଲା ଦେଶର ପ୍ରଧାନ ବିଚାରପତି ଉଚ୍ଚ ଶିକ୍ଷାନୁଷ୍ଠାନରେ ବିରୋଧର ସମ୍ମୁଖୀନ ହେବା। ବୋଧହୁଏ ଅତୀତରେ ପ୍ରଧାନ ବିଚାରପତି ଏପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇନଥିଲେ। ପୂର୍ବରୁ ପ୍ରଧାନ ବିଚାରପତି ଦୀପକ ମିଶ୍ର ନିଜ ସହଯୋଗୀ ବିଚାରପତିଙ୍କ ଦ୍ୱାରା ବିରୋଧର ସମ୍ମୁଖୀନ ହୋଇଥିଲେ, କିନ୍ତୁ ତାହା ଥିଲା ଶୀର୍ଷ ଅଦାଲତର ପ୍ରଶାସନିକ ବ୍ୟବସ୍ଥାକୁ ନେଇ। ମୁମ୍ବାଇର ଖ୍ୟାତନାମା ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ (ଟିସ୍)ର ୮୬ତମ ସମାବର୍ତ୍ତନ ଉତ୍ସବ ଗତ ଅଗଷ୍ଟ ୨ ତାରିଖରେ ଅନୁଷ୍ଠିତ ହେବାର ଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କାର୍ଯ୍ୟକ୍ରମକୁ କର୍ତ୍ତୃପକ୍ଷ ହଠାତ୍ ବାତିଲ କରିଦେଲେ। ଦିଲ୍ଲୀ ଛାତ୍ର ଆନ୍ଦୋଳନକୁ କେନ୍ଦ୍ରକରି ପ୍ରଧାନ ବିଚାରପତିଙ୍କ ବିରୋଧରେ ଟିସ୍ ବିଦ୍ୟାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିବାର ଆଶଙ୍କା ଥିବାରୁ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ଜଣାପଡ଼ିଲା। ସେହିପରି ହାଇଦ୍ରାବାଦର ନାଲସାର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ଛାତ୍ରମାନେ ପ୍ରଧାନ ବିଚାରପତିଙ୍କୁ ବିରୋଧ କରିଥିଲେ। ଫଳରେ ସମାବର୍ତ୍ତନ ଉତ୍ସବ ବାତିଲ କରିବାକୁ ପଡ଼ିଲା। ବର୍ତ୍ତମାନର ପ୍ରଧାନ ବିଚାରପତି ଯୁବ ଓ ଛାତ୍ର ମହଲରୁ ବିରୋଧ ହେବା ଘଟଣା ଭାରତୀୟ ନ୍ୟାୟପାଳିକା ଉପରୁ ଭବିଷ୍ୟତ ପିଢ଼ିଙ୍କ ଆଶାଭରସା ତୁଟୁଛି ବୋଲି କୁହାଯାଇପାରିବ ? ଏ ପ୍ରଶ୍ନ ଏବେ ଦେଶବାସୀଙ୍କ ମଧ୍ୟରେ ଆଲୋଚନାର ବିଷୟ। କ’ଣ ପାଇଁ ପ୍ରଧାନ ବିଚାରପତି ପଦବୀ ଯୁବ ଛାତ୍ରଙ୍କ ଦ୍ୱାରା ବିରୋଧର ସମ୍ମୁଖୀନ ହେଉଛି ତାହାର ତର୍ଜମା ଏବେ ଆବଶ୍ୟକ।
ଭାରତୀୟ ନିର୍ବାଚନ କମିଶନ ଏକ ତିନି ଜଣିଆ ସଦସ୍ୟ। ଦେଶରେ ନିର୍ବାଚନ କମିଶନ ଏସ୍ଆଇଆର୍ (ସ୍ବତନ୍ତ୍ର ସଘନ ସଂଶୋଧନ) ଆରମ୍ଭ କଲେ। ଏଥିରେ ଲଜିଷ୍ଟିକ ଡିସ୍କ୍ରିପାନ୍ସି, ମ୍ୟାପିଂ ଭଳି ଅବୋଧ୍ୟ ଶବ୍ଦ ବ୍ୟବହାର କରାଗଲା। ଭୋଟର ନାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଥିବା ଫର୍ମ-୬ରେ ପରିବର୍ତ୍ତନ କଲେ। ବହୁ ଭୋଟରଙ୍କ ନାମ ତାଲିକାରୁ ବାଦ ଦିଆଗଲା। ନିୟମିତ ବ୍ୟବସ୍ଥା ବାହାରକୁ ଯାଇ ବେନିୟମ ଭାବେ ନିର୍ବାଚନ କମିଶନ ଏହି କାର୍ଯ୍ୟ କରୁଥିବା ଅଭିଯୋଗ ହେଲା। କିନ୍ତୁ ଏଥିପ୍ରତି ଗୁରୁତ୍ୱ ଦିଆଗଲା ନାହିଁ। ଏହାର ପରିଣତି ସ୍ବରୂପ ଦେଶରେ ବଡ଼ ଧରଣର ଆନ୍ଦୋଳନର ସୂତ୍ରପାତ ଘଟିଲା। ଫଳରେ କମିଶନ ଫର୍ମ-୬ ପୁନର୍ବାହଲ କରି କଟିଥିବା ଓ ନୂଆ ଭୋଟରଙ୍କୁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶନାମା ଜାରି କଲେ। ପୂର୍ବରୁ ପ୍ରଚଳିତ ଏସ୍ଏସ୍ଆର (ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ) ମଧ୍ୟ ଆରମ୍ଭ କଲେ। ତାହାଲେ କମିଶନଙ୍କ ପୂର୍ବ ନା ବର୍ତ୍ତମାନର ନିଷ୍ପତ୍ତି ଠିକ୍ ତାହା ନିରୂପଣ ହେବା ଆବଶ୍ୟକ। କେଉଁ ପଦବୀର ସୁରକ୍ଷା ନିମନ୍ତେ ଦୀର୍ଘ ବର୍ଷେ ଧରି ବିଭିନ୍ନ ଦ୍ୱନ୍ଦ୍ୱ ସୃଷ୍ଟି କରାଯାଇ ଜନତାଙ୍କୁ ହଇରାଣ କରାଯାଉଛି। ନିର୍ବାଚନ କମିଶନ ନିଜ ପଦବୀ ହେଉ ବା କୌଣସି ରାଜନୈତିକ ପଦବୀର ସୁରକ୍ଷା ନିମନ୍ତେ ଏହି କୌଶଳ ଅବଲମ୍ବନ କରିଥିବା କୁହାଯାଇପାରେ। ଏଣୁ ଅସ୍ଥାୟୀ ପଦବୀକୁ ନେଇ ଅହଂକାରର ଏକ ସୀମା ରହିବା ଆବଶ୍ୟକ।
ମୋ:୯୪୩୭୨୨୯୨୩୩