ପିଜି ବଳକା ସିଟ୍‌ ନାମଲେଖା: ଆରମ୍ଭ ହେଲା ଆବେଦନ

ଭୁବନେଶ୍ୱର, ୧।୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଖାଲିପଡ଼ିଥିବା ପିଜି ସିଟ୍‌ରେ ନାମଲେଖା ପାଇଁ ମଙ୍ଗଳବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁମାନେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିଲେ, ସେମାନେ ହିଁ ଆବେଦନ କରିପାରିବେ। ତେବେ ଯେଉଁ ଛାତ୍ରୀଛାତ୍ରମାନେ ପ୍ରଥମ, ଦ୍ୱିତୀୟ କିମ୍ବା ସ୍ପଟ୍‌ ନାମଲେଖା ସମୟରେ ନାମ ଲେଖାଇ ପରବର୍ତ୍ତୀ ସମୟରେ ସିଏଲ୍‌ସି ବା ୟୁଏଲ୍‌ସି ନେଇଯାଇଛନ୍ତି, ସେମାନେ ଏହି ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ। ଏଥିସହ ଛାତ୍ରୀଛାତ୍ରମାନେ ଯେଉଁ ବିଷୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବେ ସେମାନେ ଅନ୍ୟ କୌଣସି ବିଷୟରେ ନାମଲେଖା ଲାଗି ଆବେଦନ କରିପାରିବେ ନାହିଁ ବୋଲି ଉଚ୍ଚବିଭାଗ ପକ୍ଷରୁ ପୂର୍ବରୁ ଗାଇଡ୍‌ଲାଇନ ଜାରି ହୋଇଛି। ଆସନ୍ତା ୩ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ। ୪ ତାରିଖ ଅପରାହ୍ନ ୨ଟାରେ ଆବେଦନ କରିଥିବା ଛାତ୍ରୀଛାତ୍ରଙ୍କ ପ୍ରବେଶିକା ପରୀକ୍ଷାଫଳ ସହିତ କ୍ୟାରିୟର ମାର୍କକୁ ମିଶାଇ ମୋଟ ମାର୍କର ତାଲିକା ପ୍ରକାଶ ପାଇବ। ସେହିପରି ୫ ତାରିଖରୁ ୨୧ତାରିଖ ମଧ୍ୟରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ନାମଲେଖା ସମ୍ପର୍କିତ ସମସ୍ତ କାର୍ଯ୍ୟ ଶେଷ କରିବେ।