ମେ’ ୧୦ ଯାଏ ଘୁଞ୍ଚିଲା ଆବେଦନ ସମୟ

ଭୁବନେଶ୍ୱର, ୪।୫(ବ୍ୟୁରୋ): ବିଜୁ ଯୁବ ସଶକ୍ତୀକରଣ ଯୋଜନା-୨୦୨୧ ଅଧୀନରେ ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଆବେଦନ ଅବଧିକୁ ମେ’ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଆବେଦନ କରିପାରି ନ ଥିବା ଯୋଗ୍ୟ ଛାତ୍ରୀଛାତ୍ରମାନେ ଏହି ସମୟସୀମା ମଧ୍ୟରେ ଆବେଦନ କରିବାକୁ କୁହାଯାଇଛି। ଏନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଯୁକ୍ତ୨ ପାସ୍‌ କରିଥିବା ମେଧାବୀ ଛାତ୍ରୀଛାତ୍ର ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ଲାଗି ଆବେଦନ କରିପାରିବେ। ତୃତୀୟ ଥର ପାଇଁ ଆବେଦନର ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଥିବାବେଳେ ଆବେଦନର ଶେଷ ତାରିଖ ଏପ୍ରିଲ ୧୦ ଥିଲା। ପରେ ଏହାକୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରାଯାଇଥିଲା। କେବଳ ୧୫ ହଜାର ଛାତ୍ରୀଛାତ୍ର ଆର୍ଥିକ ସହାୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏନେଇ ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କ ନାମ ପ୍ରକାଶ ପାଇଥିଲା। ସେମାନଙ୍କୁ ରାଜ୍ୟ ସରକାର ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ। ଯୋଗ୍ୟ ବିବେଚିତ ମେଧାବୀ ଛାତ୍ରୀଛାତ୍ର ଓଡ଼ିଶା ସରକାରଙ୍କ ସ୍କଲାରଶିପ୍‌ ପୋର୍ଟାଲର ଅଫିସିଆଲ ୱେବ୍‌ସାଇଟ୍‌ https://scholarship.odisha.gov.inକୁ ଯାଇ ଆବେଦନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।