ଅନୁଗୋଳରୁ ହରିୟାଣାକୁ ଗଲା ଅକ୍ସିଜେନ ଏକ୍ସପ୍ରେସ୍‌

ଭୁବନେଶ୍ୱର, ୧।୫ (ବ୍ୟୁରୋ): କାର୍ଗୋ ଫ୍ଲାଇଟ୍‌ରେ ଦୁଇଟି ଖାଲି ଅମ୍ଳଜାନ ଟ୍ୟାଙ୍କର ଗୁରୁବାର ସାରେ ଓଡ଼ିଶା ଆସିଥିଲା। ଅନୁଗୋଳସ୍ଥିତ ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ୩୨ ଟନ୍‌ ଅମ୍ଳଜାନ ଭର୍ତ୍ତି କରାଯାଇ ଉକ୍ତ ଦୁଇ ଟ୍ୟାଙ୍କରକୁ ଶୁକ୍ରବାର ସକାଳେ ଭାରତୀୟ ରେଳପଥ ଦ୍ୱାରା ରୋରୋ ସେବା ସହିତ ଅମ୍ଳଜାନ ଏକ୍ସପ୍ରେସ୍‌ ସ୍ପେଶାଲ ଟ୍ରେନ୍‌ରେ ହରିୟାଣାକୁ ପଠାଯାଇଛି। ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଏହି ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିଛି। ଅମ୍ଳଜାନ ଏକ୍ସପ୍ରେସ ମିଶନ ମୋଡ୍‌ରେ ଜୀବନ ରକ୍ଷାକାରୀ ଅମ୍ଳଜାନକୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ପରିବହନ ଜାରି ରଖିଛି ଓ ବିଭିନ୍ନ ରାଜ୍ୟକୁ ସେବା ପ୍ରଦାନ କରୁଛି। ସେହିପରି ତେଲଙ୍ଗାନା ସରକାରଙ୍କ ଅନୁରୋଧକ୍ରମେ ସିକନ୍ଦରାବାଦରୁ ୫ଟି ଖାଲି ଟ୍ୟାଙ୍କର ଥିବା ଏକ ଅକ୍ସିଜେନ ଏକ୍ସପ୍ରେସ ସ୍ପେଶାଲକୁ ଅନୁଗୋଳର ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ଲୋଡିଂ ପାଇଁ ରଖାଯାଇଛି। ସଙ୍କଟ ସମୟରେ ଶୀଘ୍ର ଅମ୍ଳଜାନ ଯୋଗାଇ ରୋଗୀଙ୍କ ଜୀବନରକ୍ଷା କରିବା ଏକ ଆହ୍ବାନ ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକ କରୁଥିବା ସମସ୍ତ ରାଜ୍ୟକୁ ଅମ୍ଳଜାନ ପରିବହନ ସେବା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି ଅଛି ବୋଲି ମହାପ୍ରବନ୍ଧକ ସୂଚନା ଦେଇଛନ୍ତି।