ଧାରଣାରେ ବସିଲେ ଅଙ୍ଗନଓ୍ବାଡ଼ି କର୍ମୀ, ୧୩୩ କେନ୍ଦ୍ରରେ ଝୁଲୁଛି ତାଲା

ଗୁଡ଼ାରି,୨୫ା୧୧(ପ୍ରମୋଦ କୁମାର ପତି): ବୁଧବାରଠାରୁ ଗୁଡ଼ାରି ବ୍ଲକର ସମସ୍ତ ୧୩୩ଟି ଅଙ୍ଗନଓ୍ବାଡ଼ିର କାର୍ଯ୍ୟରତ କର୍ମୀ ଏବଂ ସହାୟିକା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ୭ ଦଫା ଦାବି ପୂରଣ ନେଇ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଜିଲା ସଂଘର ସହମତି କ୍ରମେ ବ୍ଲକ ଅଙ୍ଗନଓ୍ବାଡ଼ି କର୍ମୀ ଧାରଣାରେ ବସି ନିଜର ହକ ମାଗିଛନ୍ତି। ସେମାନେ ଧାରଣାରେ ବସିବା ଫଳରେ ବ୍ଲକର ସମସ୍ତ ୧୩୩ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ତାଲା ଝୁଲୁଛି। ବ୍ଲକରେ କାର୍ଯ୍ୟରତ ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ସମୂହ ଛୁଟି ଦରଖାସ୍ତ ପୂର୍ବରୁ ବିଡିଓ ଶୁଚିସ୍ମିତା ବେହେରା, ସିଡିପିଓ ଅନିତା ପାଣିଗ୍ରାହୀ ଏବଂ ସ୍ଥାନୀୟ ଥାନାରେ ପ୍ରଦାନ କରିଛନ୍ତି।

ସୋମବାର ରାଜ୍ୟର ସମସ୍ତ କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀ ରାଜଧାନୀରେ ଦାବି ପୂରଣ ନେଇ ଧାରଣାରେ ବସିଥିଲେ ଏବଂ ସେଠାରୁ ଫେରିଲା ପରେ ବୁଧବାରଠାରୁ ସ୍ଥାନୀୟ ଆଇସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ। ଉଭୟ ଅଙ୍ଗନଓ୍ବାଡି କର୍ମୀ ଓ ହେଲ୍ପର ଛୁଟିରେ ରହି ଧାରଣା୍‌ରେ ବସିବା ଫଳରେ ବ୍ଲକର ପ୍ରାୟ ୫୦୦୦ ପିଲା ପ୍ରଭାବିତ ହେଉଛନ୍ତି। ଗର୍ଭବତୀ ମହିଳା, ଶିଶୁ, ଛୋଟ ପିଲାଙ୍କ ଖାଦ୍ୟ ବ୍ୟତୀତ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଭାବିତ ହେବ ଏଥିରେ ସନ୍ଦେହ ନାହିଁ।

ଏ ସମ୍ପର୍କରେ ଗଡ଼ାରି ବ୍ଲକ ଅଙ୍ଗନଓ୍ବାଡ଼ି ନେତ୍ରୀ ମୋହିନୀ ପାଲକା କହିଛନ୍ତି, ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଆମେ ଧାରଣା ବସିଛୁ ଏବଂ ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିବୁ। ସେମାନଙ୍କ ଦାବି କେବେ ସରକାର ଶୁଣୁଛନ୍ତି ଏବଂ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।

Dharitri – Odisha’s No.1 Odia Daily

Share