୧୨ଜିଲାର କେନ୍ଦୁପତ୍ର ତୋଳାଳିଙ୍କୁ ମିଳିଲା ସହାୟତା ରାଶି

ଭୁବନେଶ୍ବର,୨୮ା୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରବିବାର କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ କର୍ମଚାରୀମାନେ ସହାୟତା ରାଶି ପାଇଛନ୍ତି। ମଧ୍ୟବର୍ତ୍ତିକାଳୀନ ସହାୟତା ଭାବେ ତୋଳାଳି ୧୦୦୦ ଟଙ୍କା ପାଇଥିବାବେଳେ ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ୧୫୦୦ଟଙ୍କା ଲେଖା ମିଳିଛି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ରାଶି ବଣ୍ଟନ କରିଛନ୍ତି। ହିତାଧିକାରୀଙ୍କ ଖାତାକୁ ୪୩ କୋଟି ଟଙ୍କା ଦିଆଯାଇଛି। ଡିବିଟି ଜରିଆରେ ଏହି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗରିବ ଲୋକଙ୍କ ଖୁସି ହିଁ ତାଙ୍କୁ ସବୁଠାରୁ ଅଧିକ ଦେଇଥାଏ। ଗରିବ ଲୋକଙ୍କ ସହ ସବୁବେଳେ ରହିଛନ୍ତି ଏବଂ ସେମାନଙ୍କ କଲ୍ୟାଣ ପାଇଁ ତାଙ୍କ ଉଦ୍ୟମ ଜାରି ରହିବ। ଉପନିର୍ବାଚନ ଆଚରଣବିଧି ଉଠିବା ପରେ ବରଗଡ଼ ଜିଲାର ତୋଳାଳି ଓ ଅନ୍ୟ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ଏହିସବୁ ସହାୟତା ରାଶି ମିଳିବ। କେନ୍ଦୁପତ୍ର ହେଉଛି ଗରିବ ଲୋକର ଦାନାପାଣିର କଥା। ତେଣୁ ତା’ ଉପରେ ୧୮% ଜିଏସ୍‌ଟିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ଏହି ଅବସରରେ କେନ୍ଦ୍ର ନିକଟରେ ଦାବି କରିଛି। ପ୍ରଥମ ପର୍ଯ୍ୟାୟରେ ସୋମବାର ନୂଆପଡ଼ା, କଳାହାଣ୍ଡି କୋରାପୁଟ, ନବରଙ୍ଗପୁର, ଅନୁଗୋଳ, ସମ୍ବଲପୁର, ଝାରସୁଗୁଡ଼ା, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, ଦେବଗଡ଼ ଓ ବଲାଙ୍ଗୀର ଆଦି ୧୨ ଜିଲାର ୧୭ ଡିଭିଜନ ଭିତରେ ଆସୁଥିବା ହିତାଧିକାରୀମାନଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କେନ୍ଦୁପତ୍ର ତୋଳାଳି ଏବଂ କର୍ମଚାରୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଜଙ୍ଗଲ ପରିବେଶ ବିଭାଗ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ହିତାଧିକାରୀ ଶାନ୍ତନୁ କୁମାର ଭୋଇ, ଝାରସୁଗୁଡ଼ାର ପୁଷ୍ପଲତା ଭଇଁଷା ଓ ନୂଆପଡ଼ାର ଈଶ୍ୱର ଶବରଙ୍କ ସହ ସହାୟତା ବିଷୟରେ ଆଲୋଚନା କରିଛନ୍ତି। ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି। ପିସିସିଏଫ୍‌ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି। ତେବେ ଗତ ୨୩ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ଏ ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଚିଠି ଲେଖି କେନ୍ଦୁପତ୍ର ଉପରେ ଲାଗୁଥିବା ୧୮ ପ୍ରତିଶତ ଜିଏସ୍‌ଟି ଛାଡ଼ କରିବାକୁ ସେ ଅନୁରୋଧ କରିଛନ୍ତି। ଜିଏସ୍‌ଟି ଲାଗୁ ହେବା ଯୋଗୁ ଗରିବ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଥିବା ସେ ଉଲ୍ଲେଖ କରିଥିଲେ।