ପୁଣି ଜୀବନ ନେଲା ଆମ୍ବୁଲାନ୍ସ

ରସୁଲପୁର,୨୨ା୩: ବିଷ ପିଇଥିବା ଜଣେ ଯୁବକଙ୍କୁ ବୁର୍ଲା ମେଡିକାଲରୁ କଟକ ଆଣୁଥିବା ବେଳେ ଏକ ଆମ୍ବୁଲାନ୍ସ ରବିବାର ସକାଳେ ୫୫ନମ୍ବର ଜାତୀୟ ରାଜପଥ ଅନୁଗୋଳ ଜିଲା ଜରପଡ଼ା ବସ୍‌ଷ୍ଟାଣ୍ଡ ନିକଟରେ ଗ୍ୟାସ ବୋଝେଇ ଟ୍ରକ ସହ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ଦିନକ ପରେ ପୁଣି ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ୧୬ନଂ.ଜାତୀୟ ରାଜପଥର କୁଆଖିଆ ବଜାର ଓଭର ବ୍ରିଜ୍‌ ଉପରେ ସୋମବାର ଅପରାହ୍ନରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇ ୨ଜଣଙ୍କ ମୃତ୍ୟୁ ଘଟିଛି। ସାଇଶିବମ୍‌ ନାମକ ଏକ ଆମ୍ବୁଲାନ୍ସ(ନଂ.ଓଡି-୧୪ଏ-୫୫୮୮) ଭାରସାମ୍ୟ ହରାଇ ଏକ ଲୁହାପଥର ବୋଝେଇ ଟ୍ରକ୍‌ ପଛକୁ ଧକ୍କା ଦେଇଥିଲା। ଏଥିରେ ଆମ୍ବୁଲାନ୍ସ ଚାଳକ ଭୁବନେଶ୍ୱରର ମାନସ ରଞ୍ଜନ ସିଂଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ପରିଚୟ ଜଣାପଡିନାହିଁ। ଆମ୍ବୁଲାନ୍ସଟି ରୋଗୀ ଛାଡି ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ଆହତଦ୍ୱୟଙ୍କୁ ରସୁଲପୁର ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ଆମ୍ବୁଲାନ୍ସକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି। ଲୁହାପଥର ବୋଝେଇ ଟ୍ରକ୍‌ଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।