ସର୍ବଦଳୀୟ ବୈଠକ ଶେଷ: ୨୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା

ଭୁବନେଶ୍ୱର,୧୦।୨(ବ୍ୟୁରୋ): ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ଗୁରୁବାର ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ଏନେଇ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, ରାଜ୍ୟରେ ୧୧୦ ପୌରାଞ୍ଚଳରେ ହେବ ନିର୍ବାଚନ। ସମସ୍ତ ଦଳର ପ୍ରତିନିଧିଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି। ନିର୍ଭୁଲ ଭୋଟର ତାଲିକା ପ୍ରକାଶକୁ ଗୁରୁତ୍ୱ ଦିଆଯାଇଛି। ନିର୍ବାଚନକୁ ସୁରୁଖୁରୁରେ ସମାପନ କରିବାକୁ କୁହାଯାଇଛି। ଏଥିରେ ମତଦାନ ସମୟ ନେଇ କେହି କିଛି ପ୍ରସ୍ତାବ ଦେଇ ନ ଥିବା ବେଳେ ୨୪ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

ଏହାଛଡ଼ା ରାଜ୍ୟର ୫୯ ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ ପୌର ପରିଷଦ ଏବଂ ୩ ମହାନଗର ନିଗମରେ ନିର୍ବାଚନ ହେବ। ଏସବୁ ସହରାଞ୍ଚଳରେ ୱାର୍ଡ ୱାରି ଚିଠା ଭୋଟର ତାଲିକା ଗୁରୁବାର ଅର୍ଥାତ ଆଜି ପ୍ରକାଶ ପାଇବ । ଚିଠା ଭୋଟର ତାଲିକା ପ୍ରକାଶ ପରେ ଫେବୃୟାରୀ ୧୧ରୁ ୧୬ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିହେବ । ୧୮ ତାରିଖରେ ଅଭିଯୋଗ ଉପରେ ଶୁଣାଣି ହେବ । ୨୧ରେ ଜିଲାପାଳ ସ୍ତରରେ ହେବ ଶୁଣାଣି ପରେ ୨୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ମଧ୍ୟ ସେ କହିଛନ୍ତି।