ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପାରା ଆଥଲେଟ୍‌ଙ୍କ ପରଲୋକ

କେନ୍ଦ୍ରାପଡ଼ା ଅଫିସ, ୩୧।୮: କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପାରା ଆଥଲେଟ୍‌ ସୁକାନ୍ତ ଚୌଧୁରୀଙ୍କ ଶନିବାର ସନ୍ଧ୍ୟାରେ ହୃଦଘାତ୍‌ରେ ପରଲୋକ ଘଟିଛି। ତାଙ୍କୁ ୬୬ ବର୍ଷ ହୋଇଥିଲା। ଚୌଧୁରୀ ଜାତୀୟ ଓ ରାଜ୍ୟସ୍ତରରେ ସୁନାମ ଅର୍ଜନ କରିଥିଲେ। ୧୯୮୧ରେ ସେ ତତ୍କାଳୀନ ରାଷ୍ଟ୍ରପତି ନୀଲମ ସଞ୍ଜୀବ ରେଡ୍ଡିଙ୍କଠାରୁ ପୁରସ୍କୃତ ହୋଇଥିଲେ। ୧୯୯୩ ଏପ୍ରିଲ ୧ରେ ପଶ୍ଚିମବଙ୍ଗ ଏବଂ ଓଡିଶାର ରାଜ୍ୟପାଳ ଡ. ନୁରୁଲ ହୋସେନଙ୍କଠାରୁ ଭାରତୀୟ ରେଡ୍‌କ୍ରସ ସମ୍ମାନ ଗ୍ରହଣ କରିଥିଲେ। ୨୦୧୩ରେ ପୁନର୍ବାସ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହାଛଡ଼ା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଥିଲେ। ତାଙ୍କ ବିୟୋଗରେ ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଓ ପୂର୍ବତନ ନଗରପାଳ ଧୀରେନ ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।