ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁ ଗଞ୍ଜାମ ସହର ସାନ ବଜାରସ୍ଥିତ ଓ୍ବାର୍ଡ ନଂ ୭ ବାଲିସାହି ସନ୍ତୋଷୀ ନାୟକଙ୍କ ଚାଳ ଛପର ଜରି ପାଲ ଉଡ଼ିଯାଇଥିଲା। ସାହି ବାସିନ୍ଦାଙ୍କ ପ୍ରଚେଷ୍ଟାରେ ସନ୍ତୋଷୀ ଓ ତାଙ୍କ ଝିଅକୁ କୋଠ ଘରେ ଥଇଥାନ କରାଯାଇଥିବା ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ପରେ ଗୁରୁବାର ଏନ୍ଏସସି ପ୍ରଶାସନ ଅସହାୟ ସନ୍ତୋଷୀ ପାଖରେ ପହଞ୍ଚି ଥିବା ଜଣାପଡ଼ିଛ। ଏନ୍ଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କ ପରାମର୍ଶ କ୍ରମେ ପଦ୍ମ ଚରଣ ସାହୁ, ଗୌରବ ଦାସ, କ୍ଲର୍କ ଲକ୍ଷ୍ମୀ ପାଢ଼ୀ, ଜଗତ ଜ୍ୟୋତି ସାମଲ, କନିଷ୍ଠ ଯନ୍ତ୍ରୀ ମାନସ କୁମାର ଜେନା, ଶ୍ରୀମତ ପାତ୍ର ପ୍ରମୁଖ ସନ୍ତୋଷୀ ରହୁଥିବା କୋଠ ଘର ଯାଇ କିଛି ଖାଦ୍ୟ ପଦାର୍ଥ ପ୍ରଦାନ କରିଛନ୍ତି।
ଏନେଇ ଅସହାୟ ସନ୍ତୋଷୀ କହିଛନ୍ତି ଯେ, ବର୍ଷା ପବନ ଆସିଲେ ଏନ୍ଏସି କର୍ତ୍ତୃପକ୍ଷ ଆସି କିଛି ପ୍ରତିଶ୍ରତି ଓ ସମବେଦନା ଜଣାଇ ଚାଲିଯାଉଛନ୍ତି। ସ୍ଥାୟୀ ଥଇଥାନ କଥା ଚିନ୍ତା କରୁନାହାନ୍ତି। ବାତ୍ୟା ସରିବା ପରେ ଏନ୍ଏସି କାର୍ଯ୍ୟାଳୟ ସମୁଖରେ ମା’ ଝିଅ ଧାରଣା ଦେବୁ ବୋଲି ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପଟେ ଏଭଳି ଅସହାୟ ଅବସ୍ଥାରେ ଥିବା ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ଫୋନ କରି ଅବଗତ କଲା ପରେ ଆମେ କ’ଣ କରିବୁ ବୋଲି କହି ଫୋନ୍ କାଟିଦେଇଥିଲେ ବୋଲି ସନ୍ତୋଷୀ କହିଛନ୍ତି।