ଜମି ଦେବାକୁ କହି କୋଟିଏରୁ ଊର୍ଦ୍ଧ୍ୱ ଠକେଇ: ଅଭିଯୁକ୍ତ ରଶ୍ମିରଞ୍ଜନଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଜଣେ ପେସାଦାର ଠକଙ୍କୁ କ୍ରାଇମବ୍ରାଞ୍ଚର ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେ ହେଲେ ରଶ୍ମିରଞ୍ଜନ ଦାସ। ସେ ନିଜକୁ ଆର୍‌ଡି ଗ୍ରୁପ୍‌ ଅଫ୍‌ କମ୍ପାନୀର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କଠାରୁ ଜମି ଦେବା ବାହାନାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିବା ପରେ ଭୁବନେଶ୍ୱର ମାଳତି ବିହାରରେ ଥିବା କମ୍ପାନୀ କାର୍ଯ୍ୟାଳୟରେ ଚଢାଉ କରି ବହୁ ନକଲି କାଗଜପତ୍ର ଜବତ କରିଛି। ତେବେ ତଦନ୍ତବେଳେ ଜଣାପଡିଛି ଯେ, ଅଭିଯୁକ୍ତ ରଶ୍ମିରଞ୍ଜନ ପୂର୍ବରୁ ନିଜକୁ ସିବିଆଇ ଅଧିକାରୀ ଦର୍ଶାଇ ଅନେକଙ୍କୁ ଠକିଛନ୍ତି। ପୁରୀ କୁମ୍ଭାରରପଡା ଥାନା ପୋଲିସ ଦ୍ୱାରା ଦୁଇଟି ମାମଲା (ନଂ. ୧୨୭ ଓ ୧୨୮/୨୦୧୬)ରେ ସେ ଗିରଫ ହୋଇଥିଲେ ବୋଲି ଇଓଡବ୍ଲ୍ୟୁ ଏସ୍‌ପି ଦିଲୀପ କୁମାର ତ୍ରିପାଠୀ କହିଛନ୍ତି।
ତାଙ୍କ ସୂଚନାନୁସାରେ, ଜମି ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ କଟକ ସିଡିଏରେ ରହୁଥିବା ଅନ୍ତର୍ଯ୍ୟାମୀ ନାୟକ। ଅନ୍ତର୍ଯ୍ୟାମୀ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ୨୦୨୧ରେ ସେ ତାଙ୍କ ସାନ ଭାଇ ସୌମେନ୍ଦ୍ରଙ୍କ ଦ୍ୱାରା ଅଭିଯୁକ୍ତ ରଶ୍ମିରଞ୍ଜନଙ୍କ ସହ ପରିଚିତ ହୋଇଥିଲେ। ରଶ୍ମିରଞ୍ଜନ କଟକର ସିଡିଏ ହାଡିଆପଡାରେ ୪ ହଜାର ଫୁଟର ଏକ ଜାଗା ଅଛି ବୋଲି ଅନ୍ତର୍ଯ୍ୟାମୀଙ୍କୁ କହିଥିଲେ। ସ୍ବଇଚ୍ଛାରେ କିଣିବାକୁ ଚାହଁୁଛ, ତାହେଲେ ମୋର ସିଏମ୍‌ସିରେ ଚିହ୍ନା ଅଛନ୍ତି ବୋଲି କହି ବିଭିନ୍ନ ମିଥ୍ୟା ଆଶ୍ୱାସନା ଦେଇଥିଲା। ଅନ୍ତର୍ଯ୍ୟାମୀ ତାଙ୍କ ସ୍ତ୍ରୀଙ୍କ ନାଁରେ ଉକ୍ତ ଜାଗା କିଣିବାକୁ ଜଣାଇବା ପରେ ରଶ୍ମିରଞ୍ଜନ ତାଙ୍କଠାରୁ ଗତବର୍ଷ ଏପ୍ରିଲ ମାସରେ ପ୍ରଥମେ ନଗଦ ୧୦ ଲକ୍ଷ ଟଙ୍କା ନେଇଥିଲେ। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧ କୋଟି ୧୮ ଲକ୍ଷ ଟଙ୍କା ନେଇଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ଅଭିଯୁକ୍ତ ରଶ୍ମିରଞ୍ଜନ ନକଲି ଷ୍ଟାମ୍ପ୍‌ ଲଗାଇ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ଅନ୍ତର୍ଯ୍ୟାମୀଙ୍କୁ ଦେଇଥିଲେ। ୧୫ ନଭେମ୍ବର ୨୦୨୧ରେ ଏଗ୍ରିମେଣ୍ଟ ହେବାକୁ କହି ଆଉ ଧରାଛୁଆଁ ଦେଇ ନ ଥିଲେ କି ଫୋନ୍‌ ଉଠାଇ ନ ଥିଲେ। ଅନ୍ତର୍ଯ୍ୟାମୀଙ୍କ ସନ୍ଦେହ ହେବାରୁ ସେ ଉକ୍ତ କାଗଜପତ୍ରକୁ ନେଇ ସିଏମ୍‌ସି ଅଫିସ୍‌ ଯାଇଯାଞ୍ଚ କରିବାରୁ ତାହା ଜାଲ୍‌ ବୋଲି ଜାଣିବାକୁ ପାଇଥିଲେ। ଏହାପରେ ସେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।