ମେ ଶେଷ ସୁଦ୍ଧା ସରିବ ଆଠଗଡ଼ ବସ୍‌ଷ୍ଟାଣ୍ଡ କାମ

ଭୁବନେଶ୍ୱର,୬ା୫(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଆଠଗଡ଼ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ମେ ମାସ ଶେଷସୁଦ୍ଧା ସମ୍ପୂର୍ଣ୍ଣ ହେବ। ଗୁରୁବାର ଲୋକସେବା ଭବନରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି ା ବୈଠକରେ ଆଠଗଡ଼ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷକରି ଏହାକୁ ଯଥାଶୀଘ୍ର ଯାତ୍ରୀମାନଙ୍କ ନିମନ୍ତେ ଲୋକାର୍ପିତ କରିବା ପାଇଁ ମନ୍ତ୍ରୀ ସ୍ବାଇଁ କହିଛନ୍ତି। ଆଠଗଡ଼ ବସ୍‌ଷ୍ଟାଣ୍ଡର ମୂଳ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବସ୍‌ଷ୍ଟାଣ୍ଡର ପାଚେରି, ଗେଟ୍‌, ସଂଯୋଗକାରୀ ରାସ୍ତା କାମ ଚାଲିଛି। ବସ୍‌ଷ୍ଟାଣ୍ଡ କାର୍ଯ୍ୟାଳୟର ଆସବାବପତ୍ର, ଯାତ୍ରୀମାନଙ୍କ ବସିବା ସୁବିଧା, ଫ୍ୟାନ୍‌ ଓ ଆନୁଷଙ୍ଗିକ ସୁବିଧାର ନିର୍ମାଣ ମେ ଶେଷ ସୁଦ୍ଧା ଶେଷ କରିବା ପାଇଁ ବୈଠକରେ ପରିବହନ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାୟ ୪ କୋଟି ୯୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ବସ୍‌ଷ୍ଟାଣ୍ଡ ନିମନ୍ତେ ବକେୟା ଥିବା ସମସ୍ତ ଅର୍ଥ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ସପ୍ତାହକ ମଧ୍ୟରେ ପ୍ରଦାନ କରାଯିବ।