ଆଜି ଲୋକାର୍ପଣ ହେବ ମନୋହରପୁରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ୩ୟ ରେଳପଥ

ରାଉରକେଲା ଅଫିସ,୧୮ା୫: ଝାରସୁଗୁଡ଼ାରୁ ମନୋହରପୁର ମଧ୍ୟରେ ୩ୟ ରେଳଲାଇନ ଗୁରୁବାର ଲୋକାର୍ପଣ ହେବ। ଏ ନେଇ ବୁଧବାର ବନ୍ଧମୁଣ୍ଡା ଏଆର୍‌ଏମ୍‌ ରାଜକିଶୋର ମହାନ୍ତି ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ସଂଲଗ୍ନ ଏହି ରେଳପଥ ଗୁଡ଼ିକରେ ୩ୟ ଲାଇନ ନିର୍ମାଣ ପରେ ମାଲବାହୀ ଓ ଯାତ୍ରୀବାହୀ ରେଳ ଚଳାଚଳ ସୁଗମ ହେବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ। ପ୍ରାୟ ୬ ବର୍ଷ ପୂର୍ବେ ଏହି ୩ୟ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଝାରସୁଗୁଡ଼ାରୁ ମନୋହରପୁର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିଲା। ରେଳ ବିକାଶ ନିଗମ ଦ୍ୱାରା ଏହି ନିର୍ମାଣ କାର୍ଯ୍ୟ କରାଯାଇଛି। ପୂର୍ବରୁ ଅପ ଓ ଡାଉନ ଲାଇନରେ ୮୦ ରୁ ଊର୍ଦ୍ଧ୍ୱ ମାଲବାହୀ ଟ୍ରେନ ଚାଲୁଥିବା ବେଳେ ଏବେ ୧୦୦ ରୁ ଊର୍ଦ୍ଧ୍ୱ ଟ୍ରେନ ଚଳାଚଳ ସମ୍ଭବ ହେବ । ଝାରସୁଗୁଡ଼ା ଓ ମନୋହରପୁର ମଧ୍ୟରେ ରାଉରକେଲା, ବିଶ୍ରା, ଜରେଇକେଲା, ରାଜଗାଙ୍ଗପୁର, ବାମରା ସମେତ ସମସ୍ତ ଛୋଟବଡ଼ ଷ୍ଟେସନ୍‌ ଗୁଡ଼ିକରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ସ୍ଥାନୀୟ ଲୋକପ୍ରତିନିଧି ଓ ବରିଷ୍ଠ ରେଳ ଅଧୀକାରୀମାନେ ଯୋଗଦେବେ। ସୂଚନାଯୋଗ୍ୟ, ପୂର୍ବରୁ ଅପ ଓ ଡାଉନ ଲାଇନରେ ୨ଟି ରେଳପଥ ଥିବା ଯୋଗୁ ଉଭୟ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଛିଡ଼ା ହୋଇ ରହୁଥିଲା। ଫଳରେ ଯାତ୍ରୀବାହୀ ଟ୍ରେନ ମାନଙ୍କରେ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏବେ ୩ୟ ଲାଇନ ଯୋଗୁ ସମାଧାନ ହେବ ବୋଲି ଆଶା କରାଯାଉଛି।