୨ ଫୁଟ ଉଠିଲା ୨ ମହଲା କୋଠା

କେନ୍ଦୁଝର,୨୧ା୧: ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏକ ଦୁଇ ମହଲା କୋଠାଘରକୁ ୨ଫୁଟ ଉପରକୁ ଉଠାଯିବା ଘଟଣା କେନ୍ଦୁଝରରେ ଚର୍ଚ୍ଚାର ବିଷୟ ହୋଇଛି। ବିହାର ଅଞ୍ଚଳର ପପୁ ଯାଦବ ଏବଂ ତାଙ୍କ ସାଥୀଙ୍କ ସହଯୋଗରେ ଜେକ ଲଗାଇ ଏହି ଘରକୁ ଉଠାଯାଇଛି। ଏହା ୪ଫୁଟ ଉପରକୁ ଉଠାଯିିବ ବୋଲି ରାଜମିସ୍ତ୍ରୀ ଏବଂ ଘର ମାଲିକ କହିଛନ୍ତି।
ପୂର୍ବରୁ ଭୁବନେଶ୍ବର ସହରରେ ଦବି ଯାଇଥିବା ଏକ ଘରକୁ ଏହି ପ୍ରକ୍ରିୟାରେ ଉପରକୁ ଉଠାଯାଇଥିତ୍ବା ବେଳେ କେନ୍ଦୁଝରରେ ଏହା ପ୍ରଥମ ଘଟଣା ହୋଇଥିବାରୁ ଦେଖଣାହାରୀଙ୍କ ଭିଡ଼ ଜମିଥିଲା।
କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ୯ନଂ. ୱାର୍ଡ଼ ସ୍ପଞ୍ଜ କଲୋନୀର ଜଣେ ବ୍ୟକ୍ତି ଜାଗାକିଣି ୨ ମହଲା ଛାତ ଘର କରି ରହି ଆସୁଥିଲେ। ତେବେ ସେଠାରେ ଡ୍ରେନର ସୁବିଧା ନ ଥିବାରୁ ସାମାନ୍ୟ ବର୍ଷାରେ ପାଣି ନିଷ୍କାସନ ହୋଇ ନ ପାରି ଘର ଭିତ଼ରେ ପଶି ଯାଉଥିଲା। ଏହି ସମସ୍ୟା ପାଇଁ କେନ୍ଦୁଝରଗଡ଼ ପୌରପାଳିକା କାର୍ଯ୍ୟାଳୟରେ ବହୁବାର ଅଭିଯୋଗ କରାଯାଇଥିଲା। ହେଲେ ପୌରପାଳିକା ପକ୍ଷରୁ କୌଣସି ସମାଧାନ କରା ନ ଯିବାରୁ କୋଠାଘର ଉପରକୁ ଉଠାଇବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ। ଏନେଇ ୟୁଟ୍ୟୁବ୍‌ ରିସର୍ଚ୍ଚ ଜରିଆରେ ଘରକୁ ଲିଫ୍ଟ କରିବାକୁ ମନ ବଳାଇଥିଲେ ବୋଲି ପରିବାର ଲୋକେ କହିଛନ୍ତି।