ଶୋଇବା ଘରେ ୧୪ ଫୁଟ୍‌ର ଅହିରାଜ

ବାଙ୍ଗିରିପୋଷି,୨୭।୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ନିଶ୍ଚିନ୍ତା ଗ୍ରାମର ଅଧ୍ୟାପକ ଅଶୋକ କୁମାର ମହାପାତ୍ରଙ୍କ ଶୋଇବା ଘରୁ ୧୪ ଫୁଟ ଲମ୍ବ ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ସ୍ନେକ୍‌ ହେଲ୍ପ ଲାଇନ୍‌ ଟିମ୍‌ ସଦସ୍ୟଙ୍କ ସହଯୋଗରେ ବନ କର୍ମଚାରୀମାନେ ଏହାକୁ ଉଦ୍ଧାର କରି ଶିମିଳିପାଳର ବିଦୁଭଣ୍ଡାର ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଅଧ୍ୟାପକ ମହାପାତ୍ରଙ୍କ ମା’ ସୋମବାର ଭୋର ସମୟରେ ବାଡ଼ିପଟ କବାଟ ଖୋଲିବା ସମୟରେ ହଠାତ ସାପଟି ତାଙ୍କ ଶୋଇବା ଘର ଭିତରକୁ ପଶି ଯାଇଥିଲା। ଖବରପାଇ ସ୍ଥାନୀୟ ରେଞ୍ଜର ଅଜୟ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ବନ କର୍ମଚାରୀ ରଜତ କୁମାର ମହାନ୍ତ,ବିକାଶ ନାଏକ ଓ ସ୍ନେକ୍‌ ହେଲ୍ପ ଲାଇନ୍‌ ସଦସ୍ୟ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ଏବଂ ତାଙ୍କ ସାଥି ସେଠାରେ ପହଞ୍ଚି କୌଶଳକ୍ରମେ ଅହିରାଜକୁ ଧରିଥିଲେ। ଖାଦ୍ୟ ଅନ୍ବେଷଣରେ ସାପଟି ପାଖ ଜଙ୍ଗଲରୁ ବାହାରି ଆସିଥିବା ରେଞ୍ଜର ଦାସ ସୂଚନା ଦେଇଛନ୍ତି।