Categories: ଖେଳ

‘ଧନ୍ୟବାଦ୍‌ ମୁମ୍ବାଇ ଇଣ୍ଡିଆନ୍ସ, ଆମେ ଏହାକୁ ମନେ ରଖିବୁ’

ମୁମ୍ବାଇ,୨୨।୫: ‘ଧନ୍ୟବାଦ୍‌ ମୁମ୍ବାଇ। ଆମେ ଏହି ସାହାଯ୍ୟକୁ ମନେ ରଖିବୁ’ ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚଳିତ ଆଇପିଏଲ୍‌ ପ୍ଲେଅଫ୍‌ରେ ପ୍ରବେଶ କରିବା ପରେ ବିରାଟ କୋହଲି କହିଛନ୍ତି। ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସ ହରାଇବା ଦେବାରୁ ଏହା ସମ୍ଭବ ହୋଇପାରିଛି।
”ଏହାକୁ ବିଶ୍ୱାସ କରିବା ସହଜ ନୁହେଁ। ଚେଞ୍ଜିଂ ରୁମ୍‌ରେ ଖେଳାଳିଙ୍କ ଖୁସି ଅବିଶ୍ୱସନୀୟ ଥିଲା। ଧନ୍ୟବାଦ୍‌ ମୁମ୍ବାଇ, ଆମେ ଏହାକୁ ମନେ ରଖିବୁ“ ବୋଲି କୋହଲି ଏକ ବିବୃତିରେ କହିଛନ୍ତି। ସେହିଭଳି ଆରସିବି ଅଧିନାୟକ ଫାଫ ଡୁ’ପ୍ଲେସି କହିଛନ୍ତି, ଏହା ଖୁବ୍‌ ଭଲ ଥିଲା। ପ୍ରଥମ କଥା ହେଲା ଦଳର ସମସ୍ତ ସଦସ୍ୟ ମ୍ୟାଚ୍‌ ଆରମ୍ଭରୁ ଏକତ୍ରିତ ହୋଇ ଦେଖିଥିଲେ। ପ୍ରଥମେ ମୁମ୍ବାଇକୁ ମିଳୁଥିବା ଉଇକେଟ ପାଇଁ ଏବଂ ପରେ ସେମାନଙ୍କ ପ୍ରତ୍ୟେକ ଚୌକା ଓ ଛକା ଲାଗି ଆମେ ଚିୟର କରୁଥିଲୁ। ଆମେ ଅନ୍ତିମ ମ୍ୟାଚ୍‌ରେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲୁ। ଆମେ ଠିକ୍‌ ଏଭଳି ହିଁ ପ୍ଲେଅଫ୍‌ରେ ପ୍ରବେଶ କରିବାକୁ ଚାହୁଁଥିଲୁ। ତେଣୁ ଆମକୁ କେହି ଜଣେ ସାହାଯ୍ୟ କରନ୍ତୁ ବୋଲି ଆମେ ଚାହୁଁଥିଲୁ ଏବଂ ମୁମ୍ବାଇ ଆମ ପାଇଁ ତାହା କରିଛି। ଏଥିଲାଗି ଆମେ ସମସ୍ତେ ଅତ୍ୟନ୍ତ କୃତଜ୍ଞ। ଆସନ୍ତା ୨୫ ତାରିଖରେ କୋଲକାତାର ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ଏଲିମିନେଟରରେ ଆରସିବି ତୃତୀୟ ସ୍ଥାନରେ ଥିବା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଭେଟିବ।

Share