ଠାକୁରଙ୍କ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ସଜନାଗଡ଼,୨୫।୨: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଖଡ଼ିପଦା ଗ୍ରାମରେ ଥିବା ଶନି ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଠାକୁରଙ୍କ ରୂପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ବୁଧବାର ସନ୍ଧ୍ୟାରେ ଆଳତୀ ପରେ ପୂଜକ ମନ୍ଦିରରେ ତାଲା ଦେଇ ଘରକୁ ଯାଇଥିଲେ। ଗୁରୁବାର ସକାଳେ ପୂଜକ ମନ୍ଦିର ଖୋଲିବା ବେଳେ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ପୂଜକ ସ୍ଥାନୀୟ ବାସୀନ୍ଦାଙ୍କୁ ସୂଚନା ଦେବା ପରେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଥିଲେ। ମନ୍ଦିରରୁ ଅଳଙ୍କାର ଚୋରି ହୋଇଥିବା ନେଇ ପୂଜକ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଚଳାଇଛି।