Categories: ଖେଳ

ଟେଷ୍ଟ ସିରିଜ: ଚେନ୍ନାଇରେ ପହଞ୍ଚିଲେ ଇଂଲଣ୍ଡ ଖେଳାଳି

ଚେନ୍ନାଇ,୨୮।୧(ପି.ଟି.): ଭାରତ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଅଧିନାୟକ ଜୋ ରୁଟ୍‌ଙ୍କ ସମେତ ଇଂଲଣ୍ଡ କ୍ରିକେଟ ଦଳର କେତେକ ସଦସ୍ୟ ବୁଧବାର ଚେନ୍ନାଇରେ ଆସି ପହଞ୍ଚିଛନ୍ତି। ସିରିଜ୍‌ର ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ସପୋର୍ଟ ଷ୍ଟାଫ୍‌ର କେତେଜଣ ସଦସ୍ୟଙ୍କ ସମେତ କେତେଜଣ ଭାରତୀୟ ଖେଳାଳି ମଧ୍ୟ ଏଠାରେ ପହଞ୍ଚିଛନ୍ତି ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରୁଟ୍‌ ଓ ତାଙ୍କ ସାଥୀ ଖେଳାଳି ସକାଳ ୧୦.୩୦ରେ ଶ୍ରୀଲଙ୍କାରୁ ଭାରତ ଗସ୍ତ କରିଥିଲେ। ଏଠାରେ ପହଞ୍ଚିବା ପରେ ଖେଳାଳିମାନେ ସିଧା ଟିମ୍‌ ହୋଟେଲକୁ ଯାଇଥିଲେ। ହୋଟେଲରେ ଦୁଇ ଦଳର ସଦସ୍ୟ ବାୟୋ ବବଲ୍‌ ଅର୍ଥାତ ଜୈବ ସୁରକ୍ଷିତ ପରିବେଶରେ ରହିବେ ବୋଲି ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ)ର ଜଣେ ଅଧିକାରୀ କହିଛନ୍ତି।
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଭ୍ରମଣକାରୀ ଇଂଲଣ୍ଡ ୨-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ଅଧିନାୟକ ରୁଟ୍‌ ଦୁଇଟି ବୃହତ୍‌ ଶତକ ଅର୍ଜନ କରିଥିଲେ। ପୂର୍ବରୁ ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଓ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ରବିବାର ଏଠାରେ ଆସି ପହଞ୍ଚି କ୍ୱାରାଣ୍ଟାଇନରେ ରହିଥିଲେ। ସେହିପରି ରୋହିତ ଶର୍ମା, ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ମଙ୍ଗଳବାର ରାତିରେ ଆସି ପହଞ୍ଚିଥିଲେ। ଚେତେଶ୍ୱର ପୂଜାରା, ଯଶପ୍ରୀତ ବୁମ୍‌ରା ଓ ରିଷଭ ପନ୍ତ ବୁଧବାର ସକାଳେ ଏଠାରେ ଆସି ପହଞ୍ଚିଛନ୍ତି।
ଟିମ୍‌ କୋଚ୍‌ ରବି ଶାସ୍ତ୍ରୀ ମୁମ୍ବାଇରୁ ସିଧା ଆସିଥିବା ବେଳେ ଅନ୍ୟ ଖେଳାଳିମାନେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରୁ ଏଠାରେ ଆସି ପହଞ୍ଚିଛନ୍ତି। ଅଧିନାୟକ ବିରାଟ କୋହଲି ମଧ୍ୟ ବୁଧବାର ଏଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା। ଦୁଇ ଦଳର ଖେଳାଳି ହୋଟେଲ ଲିଲା ପ୍ୟାଲେସ୍‌ରେ ରହିବେ। କୋଭିଡ୍‌-୧୯ ପ୍ରୋଟୋକଲ୍ସ ଅନୁଯାୟୀ ଖେଳାଳିମାନେ କ୍ୱାରାଣ୍ଟାଇନ୍‌ରେ ରହିବେ ଓ ସେମାନଙ୍କର କରୋନା ଟେଷ୍ଟ ମଧ୍ୟ ହେବ। ଖେଳାଳିମାନେ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ଓ ଫେବୃୟାରୀ ୨ ତାରିଖରୁ ଅଭ୍ୟାସ କରିବେ। ପ୍ରଥମ ଟେଷ୍ଟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଫେବୃୟାରୀ ୫ ତାରିଖରୁ ଆରମ୍ଭ ହେବ ଓ ଦ୍ୱିତୀୟ ଟେଷ୍ଟ ୧୩ ତାରିଖରୁ ଆରମ୍ଭ ହେବ। ଶେଷଥର ପାଇଁ ଚେନ୍ନାଇରେ ୨୦୧୬ ଡିସେମ୍ବର ୧୬ ତାରିଖରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା।

Share