Categories: ଜାତୀୟ

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ଶ୍ରୀନଗର, ୧।୭: ଜମ୍ମୁ-କଶ୍ମୀରରେ ୧୭୯ ବାଟାଲିୟନ୍‌ ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ସୋପୋରର ମଡେଲ ଟାଉନ ଅଞ୍ଚଳରେ ଏଭଳି ଘଟିଛି। ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ୩ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଶହୀଦ ହୋଇଥିବା ଯବାନ ହେଡ଼କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହିତ ୩ବର୍ଷର ନାତି ଥିଲେ। ତେବେ ସିଆର୍‌ପିଏଫ୍‌ ଯବାନମାନେ ନାତିଙ୍କୁ ସୁରକ୍ଷିତ ରଖିବାକୁ ସକ୍ଷମ ହୋଇଛନ୍ତି। ଏନେଇ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଛୋଟ ନାତି ଜଣକ ବୁଢ଼ାବାପାଙ୍କ ମୃତଦେହ ଉପରେ ବସି ରହିଥିବାର ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୃତ ବ୍ୟକ୍ତିଙ୍କ ନାମ ୬୦ ବର୍ଷ ବୟସ୍କ ବସିର୍‌ ଅହମ୍ମଦ୍‌ ଏବଂ ନାତିଙ୍କ ନାମ ସୋହେଲ ବୋଲି ପୋଲିସ ପକ୍ଷରୁ କୁହଯାଇଛି। ସୋହେଲ ଅଝଟ ହେବାରୁ ବସିର୍‌ ତାଙ୍କୁ ବଜାର ବୁଲେଇବାକୁ ନେଇ ଆସିଥିଲେ।

Share