ଦିନରେ ଲୁଚୁଛି, ରାତିରେ ବୁଲୁଛି: ରତନେଇ ପାହାଡ଼ ଖୋଲରେ ଡେରା ପକାଇଛି କଲରାପତରିଆ,ଡ୍ରୋନ୍ କ୍ୟାମେରାରେ…

ଦିଗପହଣ୍ଡି,୧୨। ୫(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍ର ଜକର ଗ୍ରାମ ନିକଟ ମା ‘ ରତନେଇ ମନ୍ଦିର ପାଖରେ ବାଘ ବୁଲୁଥିବା ଫଟୋ ଭିଡ଼ିଓ ଭାଇରାଲ ହେବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଥିଲା। ସୋମବାର  ସନ୍ଧ୍ୟାରୁ ଚିକିଟି ବନ ବିଭାଗ ସେକ୍ସନ ଫରେଷ୍ଟର କାମନା ଭୁଁୟା,ଫରେଷ୍ଟ ଗାର୍ଡ ମିତାରାଣୀ ବିଶ୍ୱାସରାୟଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ବନ କର୍ମଚାରୀ, ସ୍କୁଆର୍ଡ ସଦସ୍ୟ ବୃନ୍ଦ ସମ୍ପୃକ୍ତ ଅଞ୍ଚଳରେ ଡ୍ରୋନ୍ କ୍ୟାମେରା ସହାୟତାରେ ସର୍ଭେଲାନ୍ସ କାର୍ଯ୍ୟ ଚଳାଇବା ପରେ  ରାତି ପ୍ରାୟ ୧୧ ଟାରେ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଡ୍ରୋନ୍ ଦ୍ଵାରା ଉତ୍ତୋଳିତ ଫଟୋରେ କଲରାପତରିଆ ବାଘର ଛବି ମିଳିଥିଲା। ବାଘଟି ଦିନସାରା ପାହାଡ଼ ଖୋଲରେ ଲୁଚି ରହୁଥିବା ବେଳେ ରାତିରେ ଜଙ୍ଗଲ ମଧ୍ୟରେ ବୁଲୁଥିବା ଜଣାପଡିଛି। ଗତ ଜାନୁଆରୀରେ ବନ ବିଭାଗ ପକ୍ଷରୁ ବାଘ ଗଣନା କରାଯାଇଥିଲା।  ଦିଗପହଣ୍ଡି ରେଞ୍ଜରେ କୌଣସି ପ୍ରକାର ବାଘଙ୍କ ଉପସ୍ଥିତି ନଥିବା ରିପୋର୍ଟରେ ଦର୍ଶାଯାଇଥିଲା। ତେଣୁ ବାଘଟି ବ୍ରହ୍ମପୁର ବନଖଣ୍ଡ ଅଧିନ ଟାମଣା ସଂରକ୍ଷିତ ଜଙ୍ଗଲରୁ ଏଠାକୁ ଚାଲିଆସିଥିବା ଅନୁମାନ କରାଯାଉଛି। କଲରାପତରିଆ ବାଘ କେବଳ ଗୋରୁ,ଗାଈ,ଛେଳି,ମେଣ୍ଢା,ମୃଗ ଭଳି ପ୍ରାଣୀ ମାନଙ୍କୁ ଶିକାର କରିଥାଏ। ବେଳେ ବେଳେ ମଣିଷ ମାନଙ୍କୁ ଦେଖିଲେ ମଧ୍ୟ  ଆକ୍ରମଣ କରିଥାଏ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଡ଼.ଅନନ୍ତରାମ କର କହିଛନ୍ତି। ମଙ୍ଗଳବାର ଚିକିଟି ସେକ୍ସନର ଫରେଷ୍ଟର ମିତା ରାଣୀ ବିଶ୍ୱାସରାୟଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ଉଷାରାଣୀ ପ୍ରଧାନ, ସରୋଜ ମଲ୍ଲିକ ଙ୍କ ସମେତ ପାରା ବନ କର୍ମଚାରୀ ବୃନ୍ଦ ସମ୍ପୃକ୍ତ ଇଲାକାରେ ଉପସ୍ଥିତ ରହି ବାଘର ଗତିବିଧି ଉପରେ ତୀକ୍ଷ୍ମଣ ଦୃଷ୍ଟି ରଖିଛନ୍ତି।

ଗତ ଶନିବାର ସନ୍ଧ୍ୟାରେ କିଛି ବ୍ୟକ୍ତି କାର ଓ ବାଇକରେ ଦିଗପହଣ୍ଡିରୁ ଚିକିଟି ଅଭିମୁଖେ  ଯାଉଥିବା ବେଳେ ଏକ କଲରା ପତରିଆବାଘ ( ଲିଓପାର୍ଡ)କୁ  ଦେଖି ମୋବାଇଲ ଫୋନ୍ରେ ଭିଡିଓ ଓ ଫୋଟ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ  । ପରେ ବନ ବିଭାଗ ନିକଟସ୍ଥ ଗୁହାଳ ଓ ନଦୀ ଘାଟ ନିକଟରେ ୨ ଟି ଟ୍ରାପ୍ କ୍ୟାମେରା ମଧ୍ୟ ସଂଯୋଗ କରିଥିଲେ। ଜଙ୍ଗଲ ସିମାବର୍ତ୍ତୀ ଗୁହାଳ ମାନଙ୍କରେ ପ୍ରାଣୀ ମାନଙ୍କୁ ନ ରଖିବା ସହ ଜାଳ କାଠ ସଂଗ୍ରହ ପାଇଁ ଲୋକଙ୍କୁ ଜଙ୍ଗଲ ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯିବା ସହ ଅଯଥା ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଥିବା ରେଞ୍ଜର କହିଛନ୍ତି। ସେହିପରି ସମ୍ପୃକ୍ତ ଇଲାକାରେ ବାଘ ଉପଦ୍ରୁତ ନେଇ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Dharitri – Odisha’s No.1 Odia Daily

Share