ବିଳମ୍ବରେ ଚିକିତ୍ସା ପାଇଁ ଚାଲିଗଲା ରୋଗୀଙ୍କ ଜୀବନ! ସାକ୍ଷୀଗୋପାଳ ଡାକ୍ତରଖାନାରେ ଉତ୍ତେଜନା, ଅବହେଳାରୁ…

ସାକ୍ଷୀଗୋପାଳ,୨୮। ୪ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ଡାକ୍ତରଖାନାକୁ ଆସିଥିବା ଜଣେ ରୋଗୀଙ୍କର ମଙ୍ଗଳବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନାନୁଯାୟୀ, ସତ୍ୟବାଦୀ ଥାନା ବନପୁର ସାମିଲ ବନମାଳୀଢିପି ଗ୍ରାମର ବସନ୍ତ କୁମାର ମହାନ୍ତି (୬୧) ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ଏକ କାର୍‌ ଯୋଗେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତରଖାନାରେ ତାଙ୍କୁ ବିଳମ୍ବରେ ଚିକିତ୍ସା ଆରମ୍ଭ କରାଯିବାରୁ ସେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥିପାଇଁ ଡ୍ୟୁଟିରେ ରହିଥିବା ଡାକ୍ତରଙ୍କୁ ସେମାନେ ଦାୟୀ କରିବା ସହ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ହୋ ହଲ୍ଲା କରିଥିଲେ। ଖବରପାଇ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ପୋଲିସ ସହ ଡାକ୍ତରଖାନାରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଇବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।
ଡ଼ାକ୍ତରଖାନାର ବର୍ହି ବିଭାଗରେ ରହିଥିବା ଡାକ୍ତର ରୋଗୀମାନଙ୍କ ଚିକିତ୍ସା କରୁଥିବା ବେଳେ ଜରୁରୀକାଳୀନ ଚିକିତ୍ସା ପାଇଁ ତାଙ୍କର ମୃତ୍ୟୁ ଘଟିଛି ଏବଂ ରୋଗୀଙ୍କୁ ବିଳମ୍ବରେ ଚିକିତ୍ସା ଆରମ୍ଭ କରିବାରୁ ଏହି ଅଘଟଣ ଘଟିଛି ବୋଲି ଉତ୍ତ୍ୟକ୍ତ ଲୋକେ ଅଭିଯୋଗ କରିଛନ୍ତି। ହେଲେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ଅଭାବ ଘଟଣା ପଛର ଅନ୍ୟ ଏକ କାରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅଭିଯୋଗ ସମ୍ପର୍କରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ତହସିଲଦାର କହିଛନ୍ତି।
Dharitri – Odisha’s No.1 Odia Daily

Share