ଟିଙ୍କ ପାଇଁ ଟେନ୍‌ସନ୍‌

ଢେଙ୍କାନାଳ ଅଫିସ, ୧୨।୨: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଟିଙ୍କକୁ ନେଇ ଦୁଇଦିନ ହେଲା ଟେନ୍‌ସନ୍‌ ବଢ଼ିଛି। ପାଠ ପଢ଼ିବାକୁ ଆସୁଥିବା ଛାତ୍ରୀଛାତ୍ର, କଲେଜରେ କାର୍ଯ୍ୟରତ ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମଚାରୀଙ୍କ ଶରୀରରେ ଟିଙ୍କ ଲାଗିଯାଉଛି। ଏହି କ୍ଷୁଦ୍ର କୀଟ କାନ ସମେତ ଆଭ୍ୟନ୍ତରୀଣ ଅଙ୍ଗରେ ପଶି ରକ୍ତ ଶୋଷୁଛି। ପ୍ରଥମେ ସାମାନ୍ୟ ଯନ୍ତ୍ରଣା ହେଉଥିବାବେଳେ ଦିନକ ପରେ ଏହା ବଢୁଛି। କଲେଜର ଜଣେ ଅଧ୍ୟାପିକାଙ୍କ କାନରେ ଟିଙ୍କ ପଶିଯାଇଥିବାରୁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିବା କହିଛନ୍ତି। କ୍ୟାମ୍ପସ ପରିସରରେ ଟିଙ୍କ ପ୍ରାଦୁର୍ଭାବ ବଢୁଥିବାବେଳେ ଏହାର ପ୍ରତିକାର କରିବା ଲାଗି ପୌର କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବାକୁ ଛାତ୍ରୀଛାତ୍ର ଦାବି କରିଛନ୍ତି।
ଅଞ୍ଚଳବାସୀଙ୍କ କହିବା କଥା, ଢେଙ୍କାନାଳ କଲେଜ ପାଣିଓହଳା ଓ ଚାରଖୋଲା ପାହାଡ଼ ପାଦଦେଶରେ ଅବସ୍ଥିତ। ସମ୍ଭବତଃ ଗୃହପାଳିତ ପ୍ରାଣୀଙ୍କ ମାଧ୍ୟମରେ ଉକ୍ତ ଟିଙ୍କ କଲେଜ କ୍ୟାମ୍ପସରେ ପ୍ରବେଶ କରିଥାଇପାରନ୍ତି। ଛୋଟ ଟିଙ୍କଗୁଡ଼ିକ ଖାଲି ଆଖିକୁ ସହଜରେ ଦୃଶ୍ୟମାନ ହେଉ ନ ଥିବାରୁ ମଣିଷ ଦେହରେ ଲାଗି ରକ୍ତ ଶୋଷୁଛନ୍ତି। ଏହାକୁ କାଢ଼ିବା କଷ୍ଟକର। ଯଦିଓ ଏହାକୁ ବାହାର କରିଦିଆଯାଏ ତଥାପି ଉକ୍ତ ସ୍ଥାନ ଘୋଳାବିନ୍ଧା ହୁଏ। ବେଳେବେଳେ ଜ୍ୱର ଆସିଥାଏ। ତେଣୁ କଲେଜରେ କୀଟନାଶକ ସିଞ୍ଚନ କରିବାକୁ ସାଧାରଣରେ ଦାବି ହୋଇଛି।
ଏ ସଂକ୍ରାନ୍ତରେ କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ପ୍ରଧାନ କୁହନ୍ତି, ଟିଙ୍କ ସହଜରେ ଦୃଶ୍ୟମାନ ହେଉନାହିଁ। ଜଙ୍ଗଲ ପରିବେଶକୁ ଲାଗି କଲେଜ ଥିବାରୁ ବଣବୁଦାରୁ ଏହା ଅନୁଷ୍ଠାନକୁ ଆସୁଥିବା ସନ୍ଦେହ କରାଯାଉଛି। ବଣବୁଦା ସଫା କରିବା ପାଇଁ ପୌର କର୍ତ୍ତୃପକ୍ଷଙ୍କୁ ଜଣାଯାଇଛି।