ଭୁବନେଶ୍ୱର,୪।୮(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ମୌସୁମୀ ନିମ୍ନ ଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ଲାଗି ରହିଛି । ବର୍ଷା ହେଉଥିଲେ ମଧ୍ୟ ତାତି ବଢ଼ି ଚାଲିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ସୋମବାର ମଧ୍ୟାହ୍ନ ୧୨ଟା ବେଳକୁ ଭୁବନେଶ୍ୱରର ତାପମାତ୍ରା ୩୩.୪ ଡିଗ୍ରୀ ଥିବାବେଳେ ହ୍ୟୁମିଡିଟି ବା ଆର୍ଦ୍ରତା ୭୪% ଏବଂ ହିଟ୍ ଇଣ୍ଡେକ୍ସ ୪୬ ଡିଗ୍ରୀ ରହିଥିଲା। ସେହିପରି ପୁରୀରେ ୩୩.୪ ଡିଗ୍ରୀ ତାପମାତ୍ରା ସହ ହିଟ୍ ଇଣ୍ଡେକ୍ସ ୪୬ ଡିଗ୍ରୀ, ଚାନ୍ଦବାଲିରେ ତାପମାତ୍ରା ୩୩.୨ ଡିଗ୍ରୀ ଓ ହିଟ୍ ଇଣ୍ଡେକ୍ସ ୪୬ ଡିଗ୍ରୀ ଏବଂ ବାଲେଶ୍ୱରରେ ତାପମାତ୍ରା ୩୪.୪ ଡିଗ୍ରୀ ଓ ହିଟ୍ ଇଣ୍ଡେକ୍ସ ୪୯ ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା।
ଅପରପକ୍ଷେ ରାଜ୍ୟରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରାଯାଇଛି। ମଙ୍ଗଳବାର ମୟୂରଭଞ୍ଜ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାରେ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୬ ଓ ୭ରେ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି।