୭ ଦିବ୍ୟାଙ୍ଗଙ୍କୁ ରୋଜଗାର ଦେଉଛନ୍ତି ତେଜସ୍ବିନୀ

ଭୁବନେଶ୍ୱର,୮।୩ (ବ୍ୟୁରୋ): ଦିବ୍ୟାଙ୍ଗ ହୋଇ ବି ମନରେ ରହିଛି ଦୃଢ଼ ଆତ୍ମବିଶ୍ୱାସ। ସ୍ବାଭାବିକ ଭାବେ ଚାଲି ପାରୁ ନ ଥିଲେ ମଧ୍ୟ ୭ ଦିବ୍ୟାଙ୍ଗ ମହିଳାଙ୍କୁ ରୋଜଗାର ଦେଉଛନ୍ତି।
ବହୁ ସଂଘର୍ଷ ଭିତରେ ବଡ଼ ସଫଳତା ପାଇଥିବା ଦିବ୍ୟାଙ୍ଗ ତେଜସ୍ବିନୀ ଆଜି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
କୋରାପୁଟ ଜିଲା ସୁନାବେଡା ଏନ୍‌ଏସି ଅନ୍ତର୍ଗତ ଜଡାଗୁଡା ଗ୍ରାମର ବାସିନ୍ଦା ହେଉଛନ୍ତି ତେଜସ୍ବିନୀ। ପୂରା ନାମ ଅମ୍ବାରିକା ତେଜସ୍ବିନୀ ନାୟକ। ବାପା ବିଜୟ ଓ ମା’ କଳ୍ପନାଙ୍କ ୬ ସନ୍ତାନଙ୍କ ମଧ୍ୟରୁ ସେ ହେଉଛନ୍ତି ତୃତୀୟ। ପିଲାଟିବେଳୁ ତାଙ୍କ ଜୀବନର ସଂଘର୍ଷ ଆରମ୍ଭ ହୋଇଥିଲା। ୧୯୯୦ ସେପ୍ଟେମ୍ବରରେ ଜନ୍ମଗ୍ରହଣ କରିଥିବା ତେଜସ୍ବିନୀ ମାତ୍ର ୬ମାସର ହୋଇଥିବାବେଳେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଚାଲିବା ଶକ୍ତି ହରାଇଥିଲେ। ବାପା ଦିନ ମଜୁରିଆ ଭାବେ କାମ କରିବାକୁ ଯାଉଥିବାବେଳେ ଦୁର୍ଘଟଣାରେ ସେ ମଧ୍ୟ ନିଜର ଗୋଡ ହରାଇ ଥିଲେ। ଏହାପରେ ମା’ କଳ୍ପନା ଏକ ବିଦ୍ୟାଳୟରେ କାମ କରି ୬ ପେଟ ପାଇଁ ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ଥିଲା। ଏ ପରିସ୍ଥିତିରେ ତେଜସ୍ବିନୀ ନିଜେ କିଛି ରୋଜଗାର କରିବାକୁ ଅଣ୍ଟାଭିଡ଼ିଥିଲେ। ଦିବ୍ୟାଙ୍ଗ ଓ ପଡୋଶୀଙ୍କ କଟାକ୍ଷକୁ ଖାତିର ନ କରି ସ୍ବାବଲମ୍ବୀ ହେବାକୁ ଦୃଢ ସଂକଳ୍ପ କରିଥିଲେ। ବହୁ କଷ୍ଟରେ ଦଶମ ପାସ୍‌ କରିବା ପରେ ଆଇଟିଆଇ ଟ୍ରେନିଂ ନେଇଥିଲେ। ଝିଅ ଚାକିରି କରୁ ବୋଲି ମା’ ଚାହୁଁଥିଲେ ମଧ୍ୟ ତେଜସ୍ବିନୀ ନିଜେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟକୁ ଚାକିରି ଦେବାକୁ ଅଣ୍ଟାଭିଡ଼ିଥିଲେ। ସେଥିପାଇଁ ସେ ଭୁବନେଶ୍ୱର ଚାଲି ଆସିଥିଲେ। ଗାଁରେ ଥିବାବେଳେ କିଛି କିଛି ସିଲେଇ ଓ ବୁଣାବୁଣି କାମ ଜାଣିଥିଲେ। ତେଣୁ ସେ ଭୁବନେଶ୍ୱରରେ ସିଲେଇ ସହ ହସ୍ତକଳା ସାମଗ୍ରୀର ଟ୍ରେନିଂ ନେଇଥିଲେ। ସାମନ୍ତରାପୁରରେ ରହୁଥିବା ତେଜସ୍ବିନୀ ଏବେ ଜଣେ ସଫଳ କାରିଗର ଓ ଉଦ୍ୟୋଗୀ। କୁସନ୍‌, ତକିଆ ଖୋଳ, ପେଟିକୋଟ୍‌ ସହ ବିଭିନ୍ନ ହାତ ତିଆରି ସାମଗ୍ରୀ ତିଆର କରୁଛନ୍ତି। ଏହାବ୍ୟତୀତ କନ୍ଧମାଳ ହଳଦୀ, ପାମ୍ପଡ ସହିତ ନିଜ ବ୍ରାଣ୍ଡ(ତେଜସ୍‌ ପ୍ରଡକ୍ଟ)ର ହାତ ତିଆରି ଫିନାଇଲ୍‌, ହାଣ୍ଡଓ୍ବାଶ୍‌ ଆଦି ବିକ୍ରି କରୁଛନ୍ତି। ଅନ୍ୟ ୭ଜଣ ଦିବ୍ୟାଙ୍ଗ ଯୁବତୀଙ୍କୁ ମଧ୍ୟ ନିୟୋଜିତ କରି ରୋଜଗାର ଦେଉଛନ୍ତି। ରାଜ୍ୟର ବିଭିନ୍ନ ମେଳାରେ ଷ୍ଟଲ ପକାଇ ନିଜ ସାମଗ୍ରୀକୁ ବିକ୍ରି କରୁଛନ୍ତି। ଯେଉଁଥିରୁ ତାଙ୍କର ମାସକୁ ପ୍ରାୟ ୩୦ରୁ ୪୦ ହଜାର ଟଙ୍କା ଆୟ ହେଉଛି। ଏଥିପାଇଁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ଯେଉଁମାନେ ଦିନେ ତାଙ୍କୁ ଥଟ୍ଟା କରିବା ସହ ଅସହାୟ ବୋଲି ଦେଖାଇବାକୁ ଚେଷ୍ଟା କରୁଥିଲେ, ଏବେ ସେମାନେ ତେଜସ୍ବିନୀଙ୍କ ଦକ୍ଷତା ଆଗରେ ହାର୍‌ ମାନିଛନ୍ତି। ଆଗକୁ ଆହୁରି ଅଧିକ କାମ କରିବା ସହ ଅଧିକ ଦିବ୍ୟାଙ୍ଗ ପିଲାଙ୍କୁ କିପରି ନିୟୋଜିତ କରିପାରିବେ ତାହା ତାଙ୍କର ଲକ୍ଷ୍ୟ ବୋଲି ତେଜସ୍ବିନୀ କହିଛନ୍ତି। ଜଣେ ଦିବ୍ୟାଙ୍ଗ ହୋଇ ଅନ୍ୟ ଦିବ୍ୟାଙ୍ଗଙ୍କୁ ରୋଜଗାର ପ୍ରଦାନ କରିବା ନିଶ୍ଚିତ ପକ୍ଷେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ବାସ୍ତବରେ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ତେଜସ୍ବିନୀ ଏକ ପ୍ରେରଣାର ଉତ୍ସ।