ଚେତିଲା ପ୍ରଶାସନ: ବନ୍ୟାର କାରଣ ଖୋଜିବା ସହ ସ୍ଥାୟୀ ସମାଧାନର ବ୍ଲୁ ପ୍ରିଣ୍ଟ୍‌ ଲାଗି ବୈଷୟିକ ଟିମ୍‌ର ଅନୁଧ୍ୟାନ

ପୁରୁଷୋତ୍ତମପୁର,୨୮ା୧୧(ସବିତା ମିଶ୍ର): ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟାର ଦୁଃଖ ଏବେ ବି ଭୁଲିନାହାନ୍ତି ପୁରୁଷୋତ୍ତମପୁରବାସୀ। ଋଷିକୁଲ୍ୟା ନଦୀର ଉଛୁଳା ଜଳ ନଦୀବନ୍ଧ ଡେଇଁବା ସହ ବିଭିନ୍ନ ସ୍ଥାନରେ କୂଳ ଘାଇ ଭାଙ୍ଗି ପୁରୁଷୋତ୍ତମପୁର ଏନ୍‌ଏସି ସମେତ ବହୁ ଗ୍ରାମ ଜଳମଗ୍ନ ହୋଇ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲା। ଏବେ ବନ୍ୟାର କାରଣ ଖୋଜିବା ସହ ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ପାଇଁ ଆରମ୍ଭ ହୋଇଛି ବ୍ଲୁ ପ୍ରିଣ୍ଟ।

ଶନିବାର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ଏକ ବୈଷୟିକ ଟିମ୍‌ ପୁରୁଷୋତ୍ତମପୁର ଅଞ୍ଚଳ ଗସ୍ତ କରି ବନ୍ୟା ପ୍ରଭାବିତ ସ୍ଥାନଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। କେଉଁ କାରଣରୁ ନଦୀଜଳ ଗାଁ ଓ ସହର ମଧ୍ୟକୁ ପ୍ରବେଶ କଲା, କେଉଁଠି କୂଳଘାଇ, ନଦୀବନ୍ଧ ଦୁର୍ବଳ ହୋଇ ଭାଙ୍ଗିଲା ଏବଂ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେସବୁ ଦିଗକୁ ଗୁରୁତ୍ୱ ଦେଇ ତଦାରଖ କରାଯାଇଥିଲା। ଏଥିସହ ବନ୍ୟାର ସ୍ଥାୟୀ ମୁକାବିଲା ଓ ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଏକ ବିସ୍ତୁତ ଖସଡ଼ା (ଡିପିଆରଓ)ପ୍ରସ୍ତୁତ କରାଯାଉଛି। ଏହା ସରକାରଙ୍କୁ ପ୍ରଦାନ କରାଯିବାର ରହିଛି। ପରିଦର୍ଶନ ସମୟରେ ଟିମ୍‌ ଗ୍ରାମବାସୀଙ୍କ ସହ ଆଲୋଚନା କରି ବନ୍ୟା ସମୟର ସମସ୍ୟା ଓ ସେମାନଙ୍କ ମତାମତ ନେଇଥିଲେ। ଏହି ଅନୁଧ୍ୟାନରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ତହସିଲଦାର ବିନୋଦ କୁମାର ବେହେରା, ଯୋଜନା ବୋର୍ଡ ସଦସ୍ୟ ସୁଧୀର କୁମାର ସାବତଙ୍କ ସମେତ ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ଏବେ ପ୍ରଶ୍ନ ଉଠୁଛି, ଏହି ବୈଷୟିକ ଅନୁଧ୍ୟାନ କେବଳ ରିପୋର୍ଟରେ ସୀମିତ ରହିବ ନା ଋଷିକୁଲ୍ୟାର ବନ୍ୟା ବିପଦରୁ ପୁରୁଷୋତ୍ତମପୁରବାସୀଙ୍କୁ ମିଳିବ ସ୍ଥାୟୀ ମୁକ୍ତି।

Dharitri – Odisha’s No.1 Odia Daily

Share