ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୯ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଧୀରେ ଧୀରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବାରେ ଲାଗିଛି। ସୋମବାରଠାରୁ ରାଜ୍ୟରେ ଥିବା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଇଞ୍ଜିନିୟରିଂ, ଡିପ୍ଲୋମା, ପଲିଟେକ୍ନିକ ଓ ଆଇଟିଆଇ କଲେଜ କର୍ତ୍ତୃପକ୍ଷ କୋଭିଡ୍‌ କଟକଣା ଭିତରେ ପାଠପଢ଼ା ଆରମ୍ଭ କରିବେ। କେବଳ ଶେଷବର୍ଷ ଛାତ୍ରୀଛାତ୍ର କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବେ। କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଶିକ୍ଷକ, କର୍ମଚାରୀ ଓ ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନକୁ ଆସିବା ମନା କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ତଥା ରାଜ୍ୟ ବାହାରୁ ମଧ୍ୟ ଛାତ୍ରୀଛାତ୍ର ଆସିବାକୁ ଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲିବ। ସାମାଜିକ ଦୂରତା ବଜାୟ ରଖିବା ସହ ଅଧିକ ଛାତ୍ରୀଛାତ୍ର ଥିଲେ ସେମାନଙ୍କୁ ଦୁଇଟି ବ୍ୟାଚ୍‌ରେ ବିଭକ୍ତ କରାଯିବ। ଛାତ୍ରୀଛାତ୍ର ବା କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଲେ ସେମାନଙ୍କୁ ସଙ୍ଗରୋଧ ପାଇଁ ହଷ୍ଟେଲରେ ବ୍ୟବସ୍ଥା କରାଯିବ। ସେପଟେ କରୋନା କଟକଣା ସହ ଶିକ୍ଷାନୁଷ୍ଠାନ ଖୋଲିବାକୁ ବିଭାଗ ନିର୍ଦ୍ଦେଶ ଦେଇଥିବାରୁ କଲେଜ କର୍ତ୍ତୃପକ୍ଷ ରବିବାର ଶ୍ରେଣୀଗୃହ, ଲାବୋରେଟୋରି ଓ ହଷ୍ଟେଲକୁ ସାନିଟାଇଜ କରାଯାଇଛି।
ଏ ନେଇ ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି, ବର୍ତ୍ତମାନ କେବଳ ଶେଷବର୍ଷ ପିଲାଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବ ଓ ପରବର୍ତ୍ତୀ ସମୟରେ ସ୍ଥିତି ଦେଖି ଅନ୍ୟ କ୍ଲାସ୍‌ଗୁଡ଼ିକ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ରାଜ୍ୟ ସରକାରଙ୍କ ଏସ୍‌ଓପି ଅନୁସାରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବ। ଏ ନେଇ ପ୍ରସ୍ତୁତି ଶେଷ ହୋଇଛି। ଛାତ୍ରୀଛାତ୍ରଙ୍କ ସଂଖ୍ୟା ଓ ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜରେ କ୍ଲାସ୍‌ ବ୍ୟବସ୍ଥା କରାଯିବ। ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। କୋଭିଡ୍‌ ଗାଇଡ୍‌ଲାଇନ ପାଳନ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।