Categories: ଖେଳ

ରାହାନେ-ପୂଜାରାଙ୍କ ହାତରେ ଟିମ୍‌ ଇଣ୍ଡିଆର ଭାଗ୍ୟ

ଜୋହାନ୍ସବର୍ଗ,୪।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟରେ ଭାରତୀୟ ଦଳର ଭାଗ୍ୟ ଏବେ ଫର୍ମରେ ନ ଥିବା ଦୁଇ ବ୍ୟାଟର ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରାଙ୍କ ଉପରେ ନିର୍ଭର କରୁଛି। ମ୍ୟାଚ୍‌ରେ ଆହୁରି ୩ ଦିନ ବାକି ଥିବାରୁ ଫଳାଫଳ ବାହାରିବା ନିଶ୍ଚିତ। ଭ୍ରମଣକାରୀ ଦଳ ୫୮ ରନ୍‌ରେ ଆଗୁଆ ଥିବା ବେଳେ ହାତରେ ଅଛି ୮ ଉଇକେଟ। ପ୍ରଥମ ଇନିଂସରେ ୨୭ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨ୟ ଦିନ ଶେଷ ସୁଦ୍ଧା ୨ ଉଇକେଟ ହରାଇ ୮୫ ରନ୍‌ କରିଛି। ରାହାନେ ୧୧ (୧ ଚୌକା) ଓ ପୂଜାରା ୩୫ (୭ ଚୌକା) ରନ୍‌ କରି ଖେଳୁଛନ୍ତି।

ପ୍ରଥମ ଇନିଂସରେ ଭାରତ ୨୦୨ ରନ୍‌ କରିଥିବା ବେଳେ ଶାର୍ଦ୍ଦୁଳ ଠାକୁରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ୨୨୯ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଦକ୍ଷିଣ ଆଫ୍ରିକା। ପୂର୍ବ ଦିନର ସ୍କୋର ୩୫/୧ରୁ ଅସମାପ୍ତ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଘରୋଇ ଦଳ ବଳକା ୯ ଉଇକେଟରେ ୧୯୪ ରନ୍‌ ଯୋଡ଼ିଥିଲା। ଶାର୍ଦ୍ଦୁଳ ୭ ଉଇକେଟ ନେଇଥିବା ବେଳେ ମହମ୍ମଦ ଶାମି ହାତେଇଥିଲେ ୨ ଉଇକେଟ।

୨୭ ରନ୍‌ରେ ପଛୁଆ ଥିବା ଭାରତ ଦ୍ୱିତୀୟ ଇନିଂସ ଆରମ୍ଭରୁ ଅଧିନାୟକ ଲୋକେଶ ରାହୁଲ (୮)ଙ୍କ ଉଇକେଟ ହରାଇଥିଲା। ତା’ ପରେ ଆଟାକିଂ ଖେଳୁଥିବା ମୟଙ୍କ ଅଗ୍ରଓ୍ବାଲ (୨୩) ଦୁର୍ଭାଗ୍ୟବଶତଃ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ୧୧.୪ ଓଭରରେ ସେ ଡୁଆନେ ଓଲିଭରଙ୍କ ବଲକୁ ଛାଡ଼ିବାକୁ ଉଦ୍ୟମ କରିଥିଲେ। ହେଲେ ବଲ ଇନ୍‌ ସୁଇଙ୍ଗ ହୋଇ ତାଙ୍କ ପ୍ୟାଡରେ ଲାଗିଥିଲା। ଏହାପରେ ପୂଜାରା ଓ ରାହାନେଙ୍କ ଯୋଡ଼ି ଘରୋଇ ବୋଲରଙ୍କୁ ଆଉ ଉଇକେଟ ନେବାକୁ ସୁଯୋଗ ନ ଦେଇ ଦଳୀୟ ସ୍କୋରରେ ୪୧ ରନ୍‌ ଯୋଡ଼ିଥିଲେ।

Share