Categories: ଖେଳ

କ୍ଲିନ ସୁଇପ୍‌ ସହ ରେକର୍ଡ ସମକକ୍ଷ ହେଲା ଟିମ୍‌ ଇଣ୍ଡିଆ

ଧର୍ମଶାଳା,୨୭।୨: ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬ ଉଇକେଟରେ ହରାଇ ଦେଇଛି ଭାରତୀୟ ଦଳ। ଏଥିସହିତ ଘରୋଇ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୩-୦ରେ ମୂଳ ପୋଛ କରି ନେଇଛି। ଏହି ବିଜୟ ଯୋଗୁ ଟିମ୍‌ ଇଣ୍ଡିଆର ଅପରାଜେୟ ଧାରା ପହଞ୍ଚିଛି ୧୨ରେ। ଟି୨୦ ଫର୍ମାଟରେ ଲଗାତାର ସର୍ବାଧିକ ସଂଖ୍ୟକ ମ୍ୟାଚ୍‌ ଜିତିବାରେ ଆଫଗାନିସ୍ତାନ ସହ ସମକକ୍ଷ ହୋଇଛି ଭାରତ।

ପ୍ରାରମ୍ଭିକ ବିପର୍ଯ୍ୟୟ ଯୋଗୁ ଶ୍ରୀଲଙ୍କା ଏକଦା ୨୯ ରନ ମଧ୍ୟରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଶ୍ରୀଲଙ୍କା ପାଇଁ ୧୦୦ ଟପିବା କଷ୍ଟକର ମନେ ହେଉଥିଲା। କିନ୍ତୁ ଅଧିନାୟକ ଦସୁନ ଶନାକାଙ୍କ ୭୪ (୯ ଚୌକା ଓ ୨ ଛକା) ରନ୍‌ର ଇନିଂସ ଖେଳି ଦଳକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ୬ଷ୍ଠ ଉଇକେଟ ପାଇଁ ଚାମିକା କରୁଣାରତ୍ନେ(୧୨)ଙ୍କ ସହ ମିଶି ୮୬ ରନ୍‌ ଯୋଡ଼ିଥିଲେ ଅଧିନାୟକ ଶନାକା। ଫଳରେ ଶ୍ରୀଲଙ୍କା ୨୦ ଓଭରରେ ୫ ଉଇକେଟ ହରାଇ ୧୪୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଭାରତ ଆରମ୍ଭରୁ ହରାଇଥିଲା ଅଧିନାୟକ ରୋହିତ ଶର୍ମାଙ୍କ ଉଇକେଟ। କିନ୍ତୁ ଫର୍ମରେ ଥିବା ଶ୍ରେୟାସ ଆୟାରଙ୍କ ଲଗାତାର ତୃତୀୟ ଅର୍ଦ୍ଧଶତକ ଯୋଗୁ ଟିମ୍‌ ଇଣ୍ଡିଆ ୧୬.୫ତମ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଶ୍ରେୟାସ ସର୍ବାଧିକ ୭୩ (୯ ଚୌକା ଓ ୧ ଛକା) ରନ୍‌ କରିଥିବା ବେଳେ ଜାଡେଜା ୨୦ (୩ ଚୌକା) ରନ୍‌ କରିଥିଲେ।

Share