Categories: Home Leftଖେଳ

ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ପୁଣି ଆହତ ହେଲେ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଦଳର ଅନେକ ଷ୍ଟାର୍‌ ଖେଳାଳି ଏବେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ରେ ଖେଳୁଥିବା ନଜର ଆସୁଛନ୍ତି। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ପାଇଁ ପ୍ରସ୍ତୁତି କରିବେ ଖେଳାଳିମାନେ। ତେବେ ଏହାରି ମଧ୍ୟରେ ଟିମ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା। ଭାରତୀୟ ଦଳର ଷ୍ଟାର୍‌ ସ୍ପିନର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଏହି ଘରୋଇ ଟୁର୍ନାମେଣ୍ଟରେ ଖେଳୁଥିବା ବେଳେ ଆହତ ହୋଇଛନ୍ତି। ଗତ ୮ ମାସ ମଧ୍ୟରେ ସେ ଚତୁର୍ଥ ଥର ପାଇଁ ଆହତ ହୋଇଛନ୍ତି।

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ରେ ବରୁଣ ଚକ୍ରବର୍ତ୍ତୀ ତାମିଲନାଡୁ ଦଳ ପକ୍ଷରୁ ଖେଳୁଛନ୍ତି। ସେ ପ୍ରଥମ ମ୍ୟାଚରେ ଖେଳିଥିଲେ। କିନ୍ତୁ ସେହି ମ୍ୟାଚରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ଜମ୍ମୁ-କଶ୍ମୀର ବିପକ୍ଷ ମ୍ୟାଚରେ ଖେଳିପାରି ନଥିଲେ। ଏବେ ତାଙ୍କ ହାତରେ ସିଲେଇ ପକାଇବାକୁ ପଡ଼ିଛି।

ଗତ ୮ ମାସ ମଧ୍ୟରେ ଚକ୍ରବର୍ତ୍ତୀ ମୋଟ ୪ ଥର ଆହତ ହୋଇଛନ୍ତି। ଏହି ଆଘାତର ସିଲସିଲା ଆଇପିଏଲ ୨୦୨୬ରୁ ଆରମ୍ଭ ହୋଇଥିଲା। ଆଇପିଏଲ ୨୦୨୬ରେ କୋଲକାତା ନାଇଟ ରାଇଡର୍ସର ଏହି ଷ୍ଟାର୍‌ ଖେଳାଳିଙ୍କ ବାମ ହାତର ଦୁଇଟି ଆଙ୍ଗୁଠିରେ ଫ୍ରାକ୍ଚର ହୋଇଥିଲା। ଆହତ ଥିବା ସତ୍ତ୍ୱେ ସେ ଟୁର୍ନାମେଣ୍ଟରେ ଅନେକ ମ୍ୟାଚ ଖେଳିଥିଲେ। ଏହାବ୍ୟତୀତ ଆଇପିଏଲ ସମୟରେ ଇଶାନ କିଶନଙ୍କ ଏକ ଶଟ ତାଙ୍କ ବାମ ପାଦର ବୁଢ଼ା ଆଙ୍ଗୁଠିରେ ବାଜିଥିଲା। ଆଘାତ କାରଣରୁ ତାଙ୍କୁ ଆଇପିଏଲର କିଛି ମ୍ୟାଚ ମଧ୍ୟ ହାତଛଡ଼ା କରିବାକୁ ପଡ଼ିଥିଲା, ଯାହାର ପ୍ରଭାବ କୋଲକାତା ନାଇଟ ରାଇଡର୍ସ ଦଳ ଉପରେ ପଡ଼ିଥିଲା।

ଆଇପିଏଲ ୨୦୨୬ ପରେ ମଧ୍ୟ ବରୁଣ ଚକ୍ରବର୍ତ୍ତୀଙ୍କ ଆଘାତ ସମସ୍ୟା ଥମି ନଥିଲା। ଆଇପିଏଲରେ ଲାଗିଥିବା ଆଘାତ କାରଣରୁ ତାଙ୍କୁ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିବାକୁ ପଡ଼ିଥିଲା। ପରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସେ ଦଳକୁ ଫେରିଥିଲେ। କିନ୍ତୁ ତୃତୀୟ ମ୍ୟାଚ ସମୟରେ ତାଙ୍କୁ ଗ୍ରେଡ-୨ ମାଂସପେଶୀ ଟାଣ ଜନିତ ଆଘାତ ଲାଗିଥିଲା। ଏହି କାରଣରୁ ସେ ସିରିଜର ବାକି ମ୍ୟାଚଗୁଡ଼ିକରେ ଖେଳିପାରି ନଥିଲେ। ଆଘାତ ସମସ୍ୟା ଯୋଗୁ ଜିମ୍ବାୱେ ବିପକ୍ଷ ସିରିଜରୁ ମଧ୍ୟ ସେ ବାଦ ପଡ଼ିଥିଲେ।

Dharitri – Odisha’s No.1 Odia Daily

Share