ନୂଆଦିଲ୍ଲୀ,୨୬।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବ୍ୟାଟର୍ ଦେବଦତ୍ତ ପଡିକଲ ନିଜ ବ୍ୟାଟିଂରେ ଦମ ଦେଖାଇଛନ୍ତି। ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ତିନି ଦିନିଆ ମ୍ୟାଚ୍ର ଦ୍ୱିତୀୟ ଇନିଂସ୍ରେ ସେ ମାତ୍ର ଗୋଟିଏ ରନ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଛନ୍ତି। ପଡିକଲଙ୍କ ଏହି ଦମ୍ଦାର ଇନିଂସ ପରେ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବା ପାଇଁ ଜଣେ ଦୃଢ଼ ଦାବିଦାର ଭାବେ ଦେଖାଯାଉଛି।
ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ମ୍ୟାଚ୍ରେ ଦେବଦତ୍ତ ପଡିକଲ ନିଜର ବ୍ୟାଟିଂ ଦକ୍ଷତାର ପରିଚୟ ଦେଇଛନ୍ତି। ସେ ୨୪୮ଟି ବଲ୍ର ସାମ୍ନା କରି ୨୪ଟି ଚୌକା ଓ ୩ଟି ଛକା ସହ ୧୯୯ ରନ କରିଛନ୍ତି। ମାତ୍ର ୧ ରନ୍ ଯୋଗୁ ସେ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ। ଏହି ଇନିଂସ୍ରେ ତାଙ୍କର ଷ୍ଟ୍ରାଇକ ରେଟ ଥିଲା ୮୦.୨୪। ପ୍ରଥମ ଇନିଂସ୍ରେ ମଧ୍ୟ ସେ ୩୨ ରନ କରିଥିଲେ।
ବିଦେଶୀ ମାଟିରେ ଏଭଳି ପ୍ରଦର୍ଶନ ଭାରତୀୟ ଦଳ ପାଇଁ ନିଶ୍ଚିତ ଭାବେ ଉତ୍ସାହଜନକ। ବିଶେଷକରି ଟେଷ୍ଟ କ୍ରିକେଟ୍ରେ ତୃତୀୟ ସ୍ଥାନରେ ଜଣେ ଭରସାଯୋଗ୍ୟ ବ୍ୟାଟରଙ୍କ ଆବଶ୍ୟକତା ଥିବାବେଳେ ପଡିକଲଙ୍କ ଏହି ଇନିଂସ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିପାରେ।
ଭାରତୀୟ ଟେଷ୍ଟ କ୍ରିକେଟ୍ରେ ତୃତୀୟ ସ୍ଥାନରେ ବ୍ୟାଟିଂ କରି ଚେତେଶ୍ୱର ପୂଜାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ଧୈର୍ଯ୍ୟ, ଦୀର୍ଘ ସମୟ ଧରି କ୍ରିଜ୍ରେ ରହିବାର କ୍ଷମତା ଓ ଚାପରେ ବ୍ୟାଟିଂ କରିବାର ଦକ୍ଷତା ଭାରତକୁ ଅନେକ ମ୍ୟାଚ୍ରେ ଫାଇଦା ଦେଇଥିଲା। ତେଣୁ ତାଙ୍କ ପରି ଜଣେ ବ୍ୟାଟରଙ୍କ ଅଭାବକୁ ପୂରଣ କରିବା ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଆହ୍ବାନ।
ପଡିକଲ ଏବେ ନିଜର ପ୍ରଦର୍ଶନ ଜରିଆରେ ଏହି ସ୍ଥାନ ପାଇଁ ଦାବି ଉପସ୍ଥାପନ କରୁଛନ୍ତି। ତେବେ ଗୋଟିଏ ବଡ଼ ଇନିଂସ ଆଧାରରେ ତାଙ୍କୁ ‘ନୂଆ ପୂଜାରା’ କହିବା ତରବରିଆ ହେବ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ମଧ୍ୟ ତାଙ୍କୁ ଏଭଳି ପ୍ରଦର୍ଶନ ଦୋହରାଇବାକୁ ପଡ଼ିବ। ଏହା ପ୍ରଥମ ଥର ନୁହେଁ, ପଡିକଲ ନିଜ ବ୍ୟାଟିଂ ଦକ୍ଷତାରେ ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ସିରିଜ୍ରେ ମଧ୍ୟ ସେ ତୃତୀୟ ସ୍ଥାନରେ ବ୍ୟାଟିଂ କରି ଭଲ ପ୍ରଦର୍ଶନ କରିଥିଲେ।
ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ଏହି ତିନି ଦିନିଆ ମ୍ୟାଚ୍ର ପ୍ରଥମ ଇନିଂସ୍ରେ ଭାରତ ‘ଏ’ ଦଳ ମାତ୍ର ୧୧୩ ରନ୍ରେ ଅଲଆଉଟ ହୋଇଯାଇଥିଲା। ଏହା ପରେ ଭାରତୀୟ ବ୍ୟାଟର୍ଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ଦ୍ୱିତୀୟ ଇନିଂସ୍ରେ ଦଳ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା।
Dharitri – Odisha’s No.1 Odia Daily

