ରାୟପୁର,୨ା୧୨: ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଦ୍ୱିତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍କୁ ୧୭ ରନ୍ ବ୍ୟବଧାନରେ ଜିତିଥିବା ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜ୍ରେ ଆଗୁଆ ରହିବା ଲକ୍ଷ୍ୟରେ ରହିଛି। ଭାରତୀୟ ଦଳର ଡ୍ରେସିଂରୁମ୍ ପରିବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଦୁଇ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉଲ୍ଲେଖନୀୟ ଫର୍ମ ଉପରେ ସଭିଙ୍କ ନଜର ରହିବ।
୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବାକୁ ଲକ୍ଷ୍ୟ ରଖିଥିବା ଏହି ଦୁଇ ସିନିୟର ବ୍ୟାଟରଙ୍କ ଲାଗି ପ୍ରତ୍ୟେକ ମ୍ୟାଚ୍ ପରୀକ୍ଷା ସଦୃଶ ହେବ। ଭାରତୀୟ ଦଳ ଜିତିଥିବା ଗତ ଦୁଇ ଦିନିକିଆ ମ୍ୟାଚ୍ରେ ଉଭୟ କୋହଲି ଓ ରୋହିତ୍ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ସେମାନଙ୍କର ବିଶ୍ୱକପ୍ ଖେଳିବାର ସମ୍ଭାବନା ସମ୍ପର୍କରେ ଭିନ୍ନ ମତ ଦେଉଥିବା ବେଳେ ଦୁଇ ସିନିୟର ବ୍ୟାଟର ଯଥାସମ୍ଭବ ଭଲ ପ୍ରଦର୍ଶନ କରୁଛନ୍ତି।

