ଭିତ୍ତିଭୂମି ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ

ଜଗତ୍‌ସିଂହପୁର ଅଫିସ, ୧୧ା୭: ରାଜ୍ୟ ସରକାର ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଉଥିବା ନେଇ ପ୍ରଚାର ହେଉଛି। କିନ୍ତୁ ନିକଟସ୍ଥ ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟଟି ଦୀର୍ଘ ବର୍ଷ ହେବ ଅବହେଳିତ ଅବସ୍ଥାରେ ରହିଛି। ଭିତ୍ତିଭୂମି ଅଭାବରୁ ଏଠାରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏଥିସହ ଡାଇନିଂ, ପାନୀୟ ଜଳ ଓ ଡ୍ରେନ୍‌ ସମସ୍ୟା ଚିନ୍ତାର କାରଣ ପାଲଟିଛି। ବିଦ୍ୟାଳୟର ଜଣେ ଗଣିତ ଶିକ୍ଷକ ସପ୍ତାହରେ ୩ ଦିନ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବାରୁ ଛାତ୍ରୀଛାତ୍ରମାନେ ଏହାର ଅଭାବ ଅନୁଭବ କରୁଛନ୍ତି। ଏସବୁ ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଜିଲା ଶିକ୍ଷା ବିଭାଗ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି ।
ଆଳିପିଙ୍ଗଳସ୍ଥିତ ଗୋପାଳଜୀଉ ମନ୍ଦିର ନିକଟରେ ୧୯୨୯ରେ ବିଦ୍ୟାଳୟଟି ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୩୦ ଜଣ ଛାତ୍ରୀଛାତ୍ର ଶିକ୍ଷାଲାଭ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ତେବେ ଏହି ପୁରାତନ ବିଦ୍ୟାଳୟରେ ଅନେକ କିଛି ଅଭାବ ରହିଛି । ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଭାକର ବେହେରା କହିଛନ୍ତି, ପିଲାମାନଙ୍କ ଅଧ୍ୟୟନ ପାଇଁ ଅତି କମ୍‌ରେ ୫ଟି ଶ୍ରେଣୀ ଗୃହର ଆବଶ୍ୟକତା ଥିବା ବେଳେ ତାହା ଏ ପର୍ଯ୍ୟନ୍ତ ହୋଇପାରୁନାହିଁ । ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ହେବ ଛାତ୍ରୀଛାତ୍ରମାନେ ପୂର୍ବପରି ଫଟା କାନ୍ଥ ଓ ଛାତ ତଳେ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି । ଯାହାକି ଚିନ୍ତାର କାରଣ ହୋଇଥିବା ବେହେରା କହିଛନ୍ତି। କେବଳ ଏତିକି ନୁହେଁ, ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷାରେ ଶ୍ରେଣୀ ଗୃହରେ ପାଣି ପଶୁଛି। ଏହି କାରଣରୁ ବର୍ଷା ଦିନେ ଅନେକ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସୁନାହାନ୍ତି। ପାନୀୟ ଜଳ ସମସ୍ୟା କଥା ନ କହିଲେ ଭଲ। ଦର୍ଘ ୨୫ ବର୍ଷ ପୂର୍ବରୁ ବିଦ୍ୟାଳୟ ପରିସରରେ ୨ଟି ନଳକୂପ ବସିଥିଲା, ଯାହା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଅଛି । ମାତ୍ର ଏଥିରୁ ବାହାରୁଥିବା ପାଣି ପିଇବା ଉପଯୋଗୀ ନୁହେଁ ବୋଲି ଅନେକେ ଅଭିଯୋଗ କରିଛନ୍ତି। ତେଣୁ ବିକଳ୍ପ ଭାବେ ତୁରନ୍ତ ବିଦ୍ୟାଳୟ ପରିସରରେ ଏକ ସୌର ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି। ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରୀଛାତ୍ରମାନେ ଖାଇବା ସମୟରେ ଅସୁବିଧାରେ ପଡ଼ୁଛନ୍ତି। ଡାଇନିଂ ହଲ୍‌ ନ ଥିବାରୁ ପିଲାମାନେ ଖାଦ୍ୟ ଥାଳି ଧରି ଏଣେ ତେଣେ ବୁଲି ଏପରି କି ସାଇକେଲ ଉପରେ ରଖି ଖାଉଛନ୍ତି। ପିଅନ ନ ଥିବାରୁ ଅନେକ ସମସ୍ୟା ହେଉଛି । ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସପ୍ତାହର ୩ ଦିନ କାର୍ଯ୍ୟ କରୁଥିବା ଗଣିତ ଶିକ୍ଷକଙ୍କୁ ବିଦ୍ୟାଳୟରେ ପୂର୍ଣ୍ଣକାଳୀନ ନିଯୁକ୍ତି ଦିଆଯିବା ଜରୁରୀ ବୋଲି ଅନେକେ ଦାବି କରିଛନ୍ତି। ତେଣୁ ଯୁଦ୍ଧକାଳୀନଭିତ୍ତିରେ ଉପରୋକ୍ତ ସମସ୍ୟାଗୁଡିକର ସ୍ଥାୟୀ ସମାଧାନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସାଗର ଜେନା, ଅନ୍ନପୂର୍ଣ୍ଣା ମାଝୀ, ପ୍ରଭାତୀ ମାଝୀ ଓ ସୁରେନ୍ଦ୍ର ସାହୁ ପ୍ରମୁଖ ଦାବି କରିଛନ୍ତି।
ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା କହିଛନ୍ତି, ବିଦ୍ୟାଳୟକୁ ୫-ଟିରେ ଅନ୍ତର୍ଭୁକ୍ତ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ତେଣୁ ଆଗକୁ ସମସ୍ୟା ରହିବ ନାହିଁ। ଏବେ ମରାମତି କି ଅନ୍ୟ କିଛି ଆବଶ୍ୟକ ହେଲେ ପଞ୍ଚାୟତ କରିବ । ଏନେଇ ପଞ୍ଚାୟତକୁ ଚିଠି କରାଯିବ ବୋଲି ସେ କହିଛନ୍ତି।

Share