ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍ ପାଇଁ ଗର୍ଜିଲେ ରାଜ୍ୟର ହଜାର ହଜାର ଶିକ୍ଷକ ଓ କର୍ମଚାରୀ। ଭୁବନେଶ୍ୱରର ଲୋୟର ପିଏମ୍ଜିରେ ଏକାଠି ହୋଇ ଶିକ୍ଷକମାନେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଅଣଅନୁଦାନପ୍ରାପ୍ତ ଓ ଯୋଗ୍ୟ ବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ, ପେନଶନ ଓ ଅବସରକାଳୀନ ସୁବିଧା, ସେବା ସର୍ତ୍ତରେ ସମାନତା ଭଳି ଦୀର୍ଘଦିନର ଦାବିକୁ ନେଇ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶିକ୍ଷକ ଓ କର୍ମଚାରୀମାନଙ୍କ କହିବା ଅନୁଯାୟୀ, ବର୍ଷ ବର୍ଷ ଧରି ଦାବି ଜଣାଇ ଆସୁଥିଲେ ମଧ୍ୟ ଅନେକ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ।
ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍କୁଲ୍ ଓ କଲେଜର ଶିକ୍ଷକ-କର୍ମଚାରୀମାନେ ଭୁବନେଶ୍ୱରରେ ‘ଡିମାଣ୍ଡ ଡେ’ ପାଳନ କରି ବିକ୍ଷୋଭ କରିଥିଲେ। ସେମାନଙ୍କ ଦାବି ମଧ୍ୟରେ ଯୋଗ୍ୟ ସ୍କୁଲ୍ଗୁଡ଼ିକୁ ଅନୁଦାନ, ଅନୁଦାନପ୍ରାପ୍ତ ସ୍କୁଲ୍ ଓ କଲେଜକୁ ସରକାରୀ ଅଧୀନକୁ ଆଣିବା, ପୁରୁଣା ପେନସନ ବ୍ୟବସ୍ଥା, ପେନଶନ ଓ ଅବସରକାଳୀନ ସୁବିଧା ଏବଂ ଅନ୍ୟାନ୍ୟ ସେବା ସୁବିଧା ଅନ୍ତର୍ଭୁକ୍ତ ଥିଲା।
ବିଶେଷକରି ଅବସର ନେଇଥିବା ଅନେକ ଶିକ୍ଷକ ଓ କର୍ମଚାରୀ ପେନଶନ ଏବଂ ଅନ୍ୟାନ୍ୟ ଅବସରକାଳୀନ ସୁବିଧାରୁ ବଞ୍ଚିତ ହୋଇ ଆର୍ଥିକ ସମସ୍ୟାରେ ରହୁଥିବା ଅଭିଯୋଗ ଆନ୍ଦୋଳନକାରୀମାନେ କରିଆସୁଛନ୍ତି। ଏଥିସହ ଚାକିରିର ସେବା ସର୍ତ୍ତ, ଦରମା ଓ ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବାକୁ ମଧ୍ୟ ଦାବି ହୋଇଛି।
ଗୁରୁଦିବସରେ ଲୋୟର ପିଏମ୍ଜିରେ ଶିକ୍ଷକମାନଙ୍କ ଏହି ବିକ୍ଷୋଭ ଫଳରେ ରାଜଧାନୀରେ ଆନ୍ଦୋଳନର ମାହୋଲ ସୃଷ୍ଟି ହୋଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଶିକ୍ଷକ ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଚଳିତ ମାସରେ ଭୁବନେଶ୍ୱରର ଲୋୟର ପିଏମ୍ଜିରେ ଶିକ୍ଷକ ନିଯୁକ୍ତି ଦାବିରେ ମଧ୍ୟ ଆନ୍ଦୋଳନ ହୋଇଥିଲା। ତେବେ ସେହି ଆନ୍ଦୋଳନ ଶିକ୍ଷକ ଆଶାୟୀମାନଙ୍କ ପକ୍ଷରୁ ଥିଲା ଏବଂ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଓ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ଦାବି କରାଯାଇଥିଲା।