ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି: ପିଲାଙ୍କୁ ନିସ୍ତୁକ ମାଡ଼

ମାଲକାନଗିରି, ୯ା୭ (ଡି.ଏନ.ଏ.): ସରକାରୀ ବିଦ୍ୟାଳୟରେ ପାଠ ପଢାଉଛନ୍ତି ଜଣେ ମାନସିକ ବିକାରଗ୍ରସ୍ତ ଶିକ୍ଷୟିତ୍ରୀ। ଶ୍ରେଣୀଗୃହରେ ମନ ଇଚ୍ଛା ପାଠ ପଢାଉଛନ୍ତି। ଯେତିକି ପାଠ ପଢାଉ ନାହାନ୍ତି ଛାତ୍ରୀଛାତ୍ରଙ୍କୁ ତାହାଠୁ ଅଧିକ ମାଡ ମାରୁଛନ୍ତି। ମାଲକାନଗିରି ଜିଲା ଚମ୍ପାନଗର ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି। ଚକ୍‌ ଖଡି ବଦଳରେ କେତେ ବେଳେ ଶିକ୍ଷୟିତ୍ରୀଙ୍କ ହାତରେ ବାଡି ତ ଆଉ କେତେବେଳେ ଚୌକି ଦେଖିବାକୁ ମିଳୁଛି। କେବେକେବେ ଶ୍ରେଣୀ ଗୃହ ଭିତର କବାଟ ଝରକା ବନ୍ଦ କରି ପିଲାଙ୍କୁ ବାହାରେ ବସେଇ ଦେଉଛନ୍ତି ଶିକ୍ଷୟିତ୍ରୀ। ଚମ୍ପାନଗର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଶାଇ ଏଠାରେ ରହିଛନ୍ତି ୩ ଜଣ ଶିକ୍ଷୟିତ୍ରୀ। ସେମାନଙ୍କ ମଧ୍ୟରେ ରହିଥିବା ଶିକ୍ଷା ସହାୟକ ବନିତା ସ୍ବାଇଁ ଜଣେ ମାନସିକ ବିକାରଗ୍ରସ୍ତ। ଏହା ଜାଣିବା ପରେ ଗାଁ ଲୋକେ ଏବେ ନିଜ ପିଲାଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଭୟ କରୁଛନ୍ତି। ସିଆର୍‌ସିସିଠାରୁ ଆରମ୍ଭ କରି ଅନ୍ୟ କର୍ତ୍ତୃପକ୍ଷଙ୍କୁ ବନିତା ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲେ ହେଁ ଜିଲା ଶିକ୍ଷା ବିଭାଗ ଏଯାଏ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏନେଇ ଶୁକ୍ରବାର ଗ୍ରାମରେ ଏକ ବୈଠକ କରିବା ପରେ ଗ୍ରାମବାସୀ ବନିତାଙ୍କୁ ବିଦ୍ୟାଳୟରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବନିତା ଗ୍ରାମବାସୀଙ୍କୁ ଦେଖି ଦୀର୍ଘ ସମୟ ଧରି ଶ୍ରେଣୀଗୃହ ଭିତରେ କବାଟ ଝରକା ବନ୍ଦ କରି ଲୁଚି ରହିଥିଲେ। ପରେ ସେ ବାହାରକୁ ଆସି ଲୋକଙ୍କ ଉପରକୁ ଚେୟାରରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ମଧ୍ୟ ବିଦ୍ୟାଳୟରୁ ବାହାରକୁ ଚାଲିଯିବାକୁ କହିଥିଲେ। ଏହାର ବିରୋଧ କରିବାରୁ ଜିଲାପାଳଙ୍କ ନିକଟକୁ ଯାଇ ମୋ ନାମରେ ଅଭିଯୋଗ କର ବୋଲି ବନିତା ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଘଟଣା ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ମାନସ ଜେନାଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।