କୋରାପୁଟ,୭ା୮(ଅମିତାଭ ବେହେରା): ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର କୋରାପୁଟ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମିତିର ଆବାହକ ତଥା ଜିଲା ଓଷ୍ଟା ସମ୍ପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ପ୍ରଥମେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ତପନ କୁମାର ନାୟକଏହି ଦାବିପତ୍ର ଗ୍ରହଣ କରିଥିଲେ। ଏହା ପରେ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହି ପ୍ରତିବାଦ ସଭାରେ ଅନୁଦାନ, ପେନ୍ସନ, ଖାଲି ପଦବୀ ପୂରଣ, ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ବରିଷ୍ଠତା ପ୍ରଦାନ ଏବଂ ଅବସର ବୟସ ୬୨ ବର୍ଷକୁ ବୃଦ୍ଧି କରିବା ଆଦି ଦାବି ଉଠାଯାଇଥିଲା। ସରକାର ଅଗଷ୍ଟ ୧୫ ସୁଦ୍ଧା ଦାବିଗୁଡ଼ିକ ଉପରେ ନିଷ୍ପତ୍ତି ନ ନେଲେ ଅଗଷ୍ଟ ୧୬ରେ ଭୁବନେଶ୍ୱରରେ ବିଶାଳ ମହାସମାବେଶ ଓ ଧାରଣା ଦିଆଯିବ ବୋଲି ସମିତି ଚେତାବନୀ ଦେଇଛି। ସଭାରେ ଜିଲା ସଭାପତି ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ସମେତ ରାଜ୍ୟ ଉପସଭାପତି ବିଜୟ କୁମାର ଭଟ୍ଟ, ଦିବାକର ରାଓ, ଫକୀର ଚରଣ ଖୁଣ୍ଟିଆ, ମନୋଜ କୁମାର ମହାପାତ୍ର, ଦେବେନ୍ଦ୍ର କୁମାର ବୈଦ୍ୟଙ୍କ ସମେତ ୧୪ଟି ବ୍ଲକର ସଭାପତି, ସମ୍ପାଦକ, ଜିଲା ପଦାଧିକାରୀ ଏବଂ ଶତାଧିକ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ।