ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ ଶୁଖିଲା ଭାତ ଏବଂ ଲୁଣ ପରସାଯିବା ଘଟଣାରେ ଜିଲା ଶିକ୍ଷା ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଅବହେଳା ପାଇଁ ସହକାରୀ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ପ୍ରଧାନଶିକ୍ଷକଙ୍କ ଗୋଟିଏ ଇନ୍‌କ୍ରିମେଣ୍ଟ ବନ୍ଦ କରାଯାଇଛି।
ଗତ ଶନିବାର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଶିମିଳି ପଦର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟରେ ବିଦ୍ୟାର୍ଥୀଙ୍କୁ ତରକାରୀ ବଦଳରେ କେବଳ ଲୁଣ ଓ ଶୁଖିଲା ଭାତ ଖାଇବାକୁ ଦିଆଯାଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ଜିଲା ଶିକ୍ଷା ଅଧିକାରୀଙ୍କ (DEO) ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଏଥିରେ ତୁମୁଡିବନ୍ଧ ଆଞ୍ଚଳିକ ସାଧନ ସଂଯୋଜକ (ସିଆରସିସି) ଭାସ୍କର ଚନ୍ଦ୍ର ସଂଗ୍ରାମ ସିଂ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଏବିଇଓ) ତଥା ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସର ଡମ୍ବୁରୁଧର ସାହୁ ପ୍ରମୁଖ ଥିଲେ। ଉଭୟ ଅଧିକାରୀ ବିଦ୍ୟାଳୟକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ଆଧାରରେ ଦୁଇଜଣ ଶିକ୍ଷକଙ୍କୁ ଦଣ୍ଡିତ କରାଯାଇଛି।
ସୁଶାନ୍ତ କଁହର (ସହକାରୀ ଶିକ୍ଷକ) ବିଦ୍ୟାଳୟରେ ଉପସ୍ଥିତ ଥାଇ ମଧ୍ୟ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ତାଙ୍କୁ ତୁରନ୍ତ ନିଲମ୍ବନ  କରାଯାଇଛି। ମୋହନ ମୁରାରୀ ସିଂ (ପ୍ରଧାନଶିକ୍ଷକ)ଜନଗଣନା କାର୍ଯ୍ୟରେ ନିୟୋଜିତ ଥିଲେ ସୁଦ୍ଧା ବିଦ୍ୟାଳୟ ପରିଚାଳନାରେ ତ୍ରୁଟି ପାଇଁ ତାଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରାଯିବା ସହ ଗୋଟିଏ ଇନ୍‌କ୍ରିମେଣ୍ଟ ବନ୍ଦ କରାଯାଇଛି।
ଶିକ୍ଷା ବିଭାଗର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମହଲ ସ୍ବାଗତ କରିଛନ୍ତି। ଆଗାମୀ ଦିନରେ ଦୁର୍ଗମ ଅଞ୍ଚଳର ଅନ୍ୟ ସ୍କୁଲଗୁଡ଼ିକରେ ମଧ୍ୟ ଏଭଳି ଅବହେଳା ବିରୋଧରେ କଠୋର ପଦକ୍ଷେପ ନିଆଯିବ ଏବଂ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ ବୋଲି ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି।
Dharitri – Odisha’s No.1 Odia Daily

Share