କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ ଜିଲା ଜଜ୍(ପୋସ୍କୋ) ମୋନାଲିସା ମହାନ୍ତି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି। ଏଥିସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ୨୦୨୫ ଅଗଷ୍ଟ ମାସରେ ହରିଚନ୍ଦନପୁର ଅଞ୍ଚଳରେ କୋଚିଂ ସେଣ୍ଟର ଚଳାଉଥିବା ଗୌତମ ମହାନ୍ତ(୩୮) କୋଚିଂରେ ପଢ଼ୁଥିବା ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ଗାଁରେ ବୈଠକ ହୋଇଥିଲା । ବୈଠକରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଥିବା ବେଳେ ସେ ତାଙ୍କ ଦୋଷ ସ୍ବୀକାର କରିଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ହରିଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାମଲାର ବିଚାର ବେଳେ ୧୫ଜଣ ସାକ୍ଷୀଙ୍କ ବୟାନ ଓ ଉପସ୍ଥାପିତ ପ୍ରମାଣକୁ ଭିତ୍ତି କରି ଶନିବାର ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଅଦାଲତ ଅଭିଯୁକ୍ତ ଗୌତମଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ୨ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟରେ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାକୁ ସ୍ବତନ୍ତ୍ର ପିପି ସଞ୍ଜୟ ପାଇକରାୟ ପରିଚାଳନା କରିଥିଲେ।