ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ଶରତ କୁମାର ମହାନ୍ତଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ସୋମବାର ସକାଳ ଆଠଟା ସମୟରେ ଶରତ ବୈଶିଙ୍ଗା ରୁପ୍ସା ମୁଖ୍ୟ ରାସ୍ତାରେ ନିଜ ସ୍କୁଟିରେ ବୈଶିଙ୍ଗା ଦିଗରେ ଆସୁଥିବା ବେଳେ ବିପରୀତ ଦିଗରୁ ବାଇକରେ ଦୃତ ଗତିରେ ଆସୁଥିବା ଦିଗାନଗର ଗ୍ରାମର ୨୨ ବର୍ଷିୟ ଜ୍ୟୋତିଷ ସିଂ ଙ୍କ ସହିତ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ଦୁଇଟି ଯାକ ବାଇକ ଭାଙ୍ଗି ଚୁରମାର ହୋଇ ଯାଇଥିଲା।
ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଣିଥିଲେ। ତେବେ ଡାକ୍ତର ୪୫ ବର୍ଷୀୟ ଶରତଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ଜ୍ୟୋତିଷ ସିଂ ଙ୍କୁ ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।