ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ରେ ଶିକ୍ଷାର ବିକାଶ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଉଦ୍ଦେଶ୍ୟରେ ଜିଲାର ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀମାନେ ବିଦ୍ୟାଳୟକୁ ଯାଇ ଶିକ୍ଷାଦାନ କରିଛନ୍ତି। ‘ଟିଚ୍ କନ୍ଧମାଳ’ କାର୍ଯ୍ୟକ୍ରମ ଅଧୀନରେ ଏହି ଶିକ୍ଷାଦାନ କରାଯାଇଛି।
ଏହି କ୍ରମରେ ସିଆଙ୍ଗବାଲି ଜ୍ଞାନଜ୍ୟୋତି ମଡେଲ ଉଚ୍ଚ ବିଦ୍ୟାଳୟରେ ବାଲିଗୁଡ଼ା ଉପଜିଲାପାଳ ତଥା ଆଇଏଏସ୍ ଅଧିକାରୀ ପ୍ରଣୀତା ଦାସ ନବମ ଓ ଦଶମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଗଣିତ ପାଠ ପଢ଼ାଇଥିଲେ। ଶିକ୍ଷାଦାନ ସମୟରେ ସେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ସେମାନଙ୍କର ସନ୍ଦେହ ଦୂର କରିଥିଲେ।
ଏହାପରେ ଉପଜିଲାପାଳ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ବିଦ୍ୟାଳୟର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଭିତ୍ତିଭୂମି ଓ ବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଅବଗତ ହୋଇଥିଲେ।
ସେହିପରି ଦାରିଙ୍ଗବାଡ଼ି ଲାଲ ବାହାଦୁର ବିଦ୍ୟାପୀଠରେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିଥିଲେ। ନିକଟରେ ବିଡିଓଙ୍କୁ ପାଇ ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇଥିଲେ। ବିଡିଓ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ସହ ପାଠ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ପିଲାମାନଙ୍କର ଥିବା ସନ୍ଦେହ ଦୂର କରିଥିଲେ।
ପ୍ରକାଶ ଥାଉକି, ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଜିଲାସ୍ତରୀୟ ସାମୂହିକ ଜନଶୁଣାଣି କାର୍ଯ୍ୟକ୍ରମ ଥିବାରୁ ବିଭିନ୍ନ ଅଧିକାରୀ ଦାରିଙ୍ଗବାଡ଼ି ଗସ୍ତରେ ଆସିଥିଲେ। ଏହି ଅବସରରେ ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିଥିଲେ।
କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରାଜ ପାତ୍ର, ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

