ଚେନ୍ନାଇ,୫ା୧୧: ଦୀପାବଳି ପୂର୍ବରୁ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ପରିବାରର ରୋଷେଇ ଖର୍ଚ୍ଚ କମାଇବା ପାଇଁ ତାଙ୍କ ସରକାର ପକ୍ଷରୁ ମାତ୍ର ୧୦୦ ଟଙ୍କାରେ ୧୦ ପ୍ରକାର ପରିବା ଓ ରୋଷେଇ ସାମଗ୍ରୀ ଥିବା ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଛି । ‘ବେଟ୍ରି ସ୍ପେଶାଲ୍ ଭେଜିଟେବଲ୍ ପ୍ୟାକେଜ୍’ ନାମରେ ଏହି ଯୋଜନାକୁ ରାଜ୍ୟର ସମବାୟ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି ।
ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ୨୧୮ଟି ଚୟନିତ ସମବାୟ କେନ୍ଦ୍ରରେ ଏହି ପ୍ୟାକେଜ୍ ଉପଲବ୍ଧ ହେବ । ପର୍ବପର୍ବାଣୀ ସମୟରେ ପରିବା ଓ ଅନ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଥିବା ପରିବାରଗୁଡ଼ିକୁ ଏହା ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି। ଚେନ୍ନାଇର ପୁଙ୍ଗା ନଗର କୋ-ଅପରେଟିଭ୍ ହୋଲସେଲ୍ ଷ୍ଟୋର୍ର ୧୫ତମ ମେନ୍ ରୋଡ୍ ଆଉଟ୍ଲେଟ୍ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ଏହା ସହ ଚେନ୍ନାଇରେ ୪ଟି ପରିବା ବିକ୍ରୟ ମୋବାଇଲ୍ ଭ୍ୟାନ୍ ମୁତୟନ କରାଯାଇଛି । ଏହାଦ୍ୱାରା ଅଧିକରୁ ଅଧିକ ଲୋକ ଏହି ସୁବିଧା ପାଇପାରିବେ। ପ୍ରତି ପ୍ୟାକେଜ୍ରେ ପ୍ରାୟ ୨.୫୫ରୁ ୨.୬୦ କିଲୋଗ୍ରାମ ପରିବା ଓ ରୋଷେଇ ପାଇଁ ଆବଶ୍ୟକ ସାମଗ୍ରୀ ରହିଛି।
୧୦୦ ଟଙ୍କିଆ ପ୍ୟାକେଜ୍ରେ କ’ଣ ରହିଛି?
୧. ପିଆଜ – ୫୦୦ ଗ୍ରାମ
୨. ଟମାଟୋ – ୫୦୦ ଗ୍ରାମ
୩. ବାଇଗଣ – ୨୫୦ ଗ୍ରାମ
୪. ଆଳୁ – ୨୫୦ ଗ୍ରାମ
୫. ଗାଜର – ୨୦୦ ଗ୍ରାମ
୬. ବିନ୍ସ – ୨୦୦ ଗ୍ରାମ
୭. କଞ୍ଚାଲଙ୍କା – ୧୦୦ ଗ୍ରାମ
୮. ଲେମ୍ବୁ – ୧୦୦ ଗ୍ରାମ
୯. ଅଦା – ୫୦ ଗ୍ରାମ
୧୦. ନଡ଼ିଆ – ୪୦୦ରୁ ୪୫୦ ଗ୍ରାମ
ପରିବାରର ଅଧିକରୁ ଅଧିକ ସଦସ୍ୟ ଏହି ଯୋଜନାର ଲାଭ ପାଇବା ଉଦ୍ଦେଶ୍ୟରେ ସରକାର ପ୍ରତି ବ୍ୟକ୍ତିଙ୍କ ପାଇଁ ଗୋଟିଏ ପ୍ୟାକେଜ୍ କିଣିବାର ସୀମା ଧାର୍ଯ୍ୟ କରିଛନ୍ତି । ପରିବାରଗୁଡ଼ିକୁ ତାଜା ଓ ଉନ୍ନତମାନର ପରିବା ଯୋଗାଇବା ପାଇଁ ସ୍ୱଚ୍ଛ ପରିବେଶରେ ଏହାକୁ କିଣାଯିବା ସହ ପ୍ୟାକିଂ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି । ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ସମବାୟ କେନ୍ଦ୍ରଗୁଡ଼ିକର ସାଧାରଣ କାର୍ଯ୍ୟ ସମୟରେ ଏହି ପ୍ୟାକେଜ୍ ବିକ୍ରି କରାଯିବ। ଏଥିପାଇଁ ସମସ୍ତ ଚୟନିତ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ରଖିବାକୁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି।
ପର୍ବପର୍ବାଣୀ ସମୟରେ ପରିବାରଗୁଡ଼ିକର ରୋଷେଇ ଖର୍ଚ୍ଚ କମାଇବା ସହ କମ୍ ଦାମ୍ରେ ଅତ୍ୟାବଶ୍ୟକ ପରିବା ଯୋଗାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ନଭେମ୍ବର ୭ ତାରିଖରେ ଏହି ସ୍ୱତନ୍ତ୍ର ବିକ୍ରି ଶେଷ ହେବା ପୂର୍ବରୁ ଲୋକେ ଏହାର ଲାଭ ଉଠାଇବାକୁ ସମବାୟ ବିଭାଗ ପକ୍ଷରୁ ଅପିଲ୍ କରାଯାଇଛି ।

