ଟାଟାକୁ ମୋଟା ଅଙ୍କ ଦେବା ପ୍ରତିଯୋଗିତା ଚାଲିଛି: କଂଗ୍ରେସ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):ବିଦ୍ୟୁତ୍‌ ଦର ବୃଦ୍ଧିକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛିି। ଘରୋଇ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍‌ ବୋଝ ଲଦି ଟାଟା କମ୍ପାନୀକୁ ମୋଟା ଅଙ୍କ ଦେବାକୁ ପ୍ରତିଯୋଗିତା ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ମଙ୍ଗଳବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବରିଷ୍ଠ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, କରୋନା ଯୋଗୁ ବିଦ୍ୟୁତ୍‌ ବ୍ୟବହାରକାରୀ ଛୋଟ ବଡ ଦୋକାନୀ, ବିଦ୍ୟୁତ୍‌ ବ୍ୟବହାରକାରୀ ଶିଳ୍ପ ତଥା କୃଷି ସହ ସମ୍ପୃକ୍ତ ଉପଭୋକ୍ତା ଅଣ୍ଟା ସଳଖି ଛିଡା ହୋଇପାରି ନାହାନ୍ତି। ଏହି ବର୍ଗର ଉପଭୋକ୍ତା ୫୭%ରୁ ଅଧିକ ବିଦ୍ୟୁତ୍‌ ବ୍ୟବହାର କରିଥାଆନ୍ତି। ଅର୍ଥାତ୍‌ ବାର୍ଷିକ ବ୍ୟବହାର ହେଉଥିବା ହାରାହାରି ୩୬୦୦ ମୋଗାଓ୍ବାଟରୁ ପ୍ରାୟ ୨ହଜାର ମେଗାୱାଟ୍‌ ଏମାନେ ବ୍ୟବହାର କରିଥାନ୍ତି। ବିଭିନ୍ନ କମ୍ପାନୀ ଉପରେ ଗ୍ରୀଡ୍‌କୋର ପାଖାପାଖି ୭ ହଜାର କୋଟି ଟଙ୍କା ବକେୟା ପଡିଛି । ସରକାର କରୋନା ପାଇଁ ବିଦ୍ୟୁତ୍‌ ଦର ଅତି କମ୍‌ରେ ୫୦% କମାନ୍ତୁ ବୋଲି ସେ ଦାବି କରିଛନ୍ତି। କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ବିଦ୍ୟୁତ୍‌ ସଂସ୍କାର ବେଳର ମୂଳ ଲକ୍ଷ୍ୟ ସାଧନ ଦିଗରେ ରାଜ୍ୟ ସରକାର ବିଚ୍ୟୁତ ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଟାଟା କମ୍ପାନୀକୁ ଲୋକଙ୍କ ଅର୍ଥରୁ ମୋଟା ଅଙ୍କ ଦେବା ପ୍ରତିଯୋଗିତାରେ ଅଛନ୍ତି। ଲୋକଙ୍କ ପାଖରୁ ଦରବୃଦ୍ଧି କରି ହଜାରେ କୋଟି ଟଙ୍କା ବିତରଣ କମ୍ପାନୀକୁ ଟେକି ଦିଆଗଲା। ଅପରପକ୍ଷରେ କେନ୍ଦ୍ର ସରକାର ଏହି କମ୍ପାନୀକଗୁଡିକୁ ୮୪ କୋଟି ଟଙ୍କାର ପ୍ୟାକେଜ୍‌ ଦେବାର ଯେଉଁ ଘୋଷଣା କରିଛି ତାହା ସନ୍ଦେହ ସୃଷ୍ଟି କରୁଛି। ଟାଟା ନେବା ପରେ ଦରବୃଦ୍ଧି କ’ଣ ପାଇଁ ଓ କାହା ସ୍ବାର୍ଥରେ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।