ମୁମ୍ବାଇ,୨୭।୧୧(ପି.ଟି.): ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଏନ୍. ଚନ୍ଦ୍ରଶେଖରନ୍ଙ୍କୁ ତୃତୀୟ ୫ ବର୍ଷିଆ କାର୍ଯ୍ୟକାଳ ପାଇଁ ଦିଆଯାଇଥିବା ପୁନଃ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇ ‘ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ’ (ଏସ୍ଡିଟିଟି) ଏବଂ ‘ଆର୍.ଡି. ଟାଟା ଟ୍ରଷ୍ଟ’ (ଆର୍ଡିଟିଟି) ପକ୍ଷରୁ ଗୁରୁବାର ବମ୍ବେ ହାଇକୋର୍ଟରେ ମାମଲା ଦାଏର କରାଯାଇଛି। ଟାଟା ସନ୍ସ ଏବଂ ଏହାର ୬ ଜଣ ନିର୍ଦ୍ଦେଶକଙ୍କ ବିରୋଧରେ ଦାଏର ହୋଇଥିବା ଏହି ମାମଲାଗୁଡ଼ିକରେ ଏସ୍ଡିଟିଟି ପକ୍ଷରୁ ୫୦ କୋଟି ଟଙ୍କା ଏବଂ ଆର୍ଡିଟିଟି ପକ୍ଷରୁ ୧୫ କୋଟି ଟଙ୍କାର କ୍ଷତିପୂରଣ ସହ ବାର୍ଷିକ ୧୮ ପ୍ରତିଶତ ସୁଧ ଦାବି କରାଯାଇଛି। ହାଇକୋର୍ଟ ଶୁକ୍ରବାର ଏହି ଆବେଦନଗୁଡ଼ିକର ଶୁଣାଣି କରିବେ।
ଆବେଦନଗୁଡ଼ିକ ଅନୁଯାୟୀ, କମ୍ପାନୀର ‘ଆର୍ଟିକିଲ୍ସ ଅଫ୍ ଆସୋସିଏଶନ’ (ଏଓଏ)ର ଧାରା ୧୨୧ ଅନୁଯାୟୀ ଆବଶ୍ୟକ ସକାରାତ୍ମକ ଭୋଟ ମିଳି ନ ଥିବାରୁ ଗତ ସେପ୍ଟେମ୍ବର ୧୭ରେ ଚନ୍ଦ୍ରଶେଖରନଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଟାଟା ସନ୍ସ ବୋର୍ଡ ନେଇଥିବା ପ୍ରସ୍ତାବ ଅବୈଧ। ଦୁଇ ଟ୍ରଷ୍ଟ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଜନକ ଦ୍ୱାରକାଦାସ ଗୁରୁବାର ଜଷ୍ଟିସ୍ ଆରିଫ୍ ଡକ୍ଟରଙ୍କ ଏକକ ଖଣ୍ଡପୀଠରେ ଜରୁରୀ ଶୁଣାଣି ପାଇଁ ମାମଲା ଉଲ୍ଲେଖ କରିଥିଲେ। ତେବେ ଜଷ୍ଟିସ ଡକ୍ଟର କୌଣସି କାରଣ ନ ଦର୍ଶାଇ ନିଜକୁ ଏହି ମାମଲାରୁ ଅଲଗା କରିନେବା ପରେ ବିକଳ୍ପ ଖଣ୍ଡପୀଠରେ ବସିଥିବା ଜଷ୍ଟିସ ଅଭୟ ଆହୁଜାଙ୍କ ନିକଟରେ ଏହା ଉପସ୍ଥାପନ କରାଯାଇଥିଲା। ନଭେମ୍ବର ୩୦ରେ ହେବାକୁ ଥିବା ଟାଟା ସନ୍ସ ବୋର୍ଡ ବୈଠକ ପୂର୍ବରୁ ଶୁଣାଣି ଜରୁରୀ ବୋଲି ଦ୍ୱାରକାଦାସ କୋର୍ଟଙ୍କୁ ଜଣାଇବା ପରେ ଜଷ୍ଟିସ ଆହୁଜା ଶୁକ୍ରବାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।
ଆବେଦନରେ ନଭେମ୍ବର ୩୦ ବୋର୍ଡ ବୈଠକ ଉପରେ ସ୍ଥଗିତାଦେଶ ମଗାଯାଇ ନାହିଁ, ବରଂ ମନୋନୀତ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ମତଭେଦ ହେଲେ ଟାଟା ସନ୍ସ ଅଧ୍ୟକ୍ଷ ଯେପରି ତାଙ୍କର ନିର୍ଣ୍ଣାୟକ ଭୋଟ ପ୍ରୟୋଗ ନ କରନ୍ତି, ସେଥିପାଇଁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଟାଟା ସନ୍ସ ଏଓଏର ଧାରା ୧୨୧ ଅନୁଯାୟୀ, ଯେଉଁ କ୍ଷେତ୍ରରେ ଟ୍ରଷ୍ଟିମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ସକାରାତ୍ମକ ଭୋଟ ଆବଶ୍ୟକ ଥାଏ, ସେଠାରେ ବୋର୍ଡ ବୈଠକର ଅଧ୍ୟକ୍ଷ ନିର୍ଣ୍ଣାୟକ ଭୋଟ ବ୍ୟବହାର କରିପାରିବେ ନାହିଁ ବୋଲି ମାମଲାରେ ଦର୍ଶାଯାଇଛି। ସେପ୍ଟେମ୍ବର ୧୭ର ନିଷ୍ପତ୍ତି ଆର୍ଟିକିଲ୍ସ ଅଫ୍ ଆସୋସିଏଶନର ପରିସର ବାହାରେ ଏବଂ ଏହା ଅବୈଧ ଓ ବେଆଇନ ବୋଲି କୁହାଯାଇଛି।
ସେପ୍ଟେମ୍ବର ୧୭ ପରଠାରୁ ପଠାଯାଇଥିବା ପତ୍ରଗୁଡ଼ିକର କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ବୁଧବାର ରାତିରେ ଦୁଇ ଟ୍ରଷ୍ଟ ଭୋଟ ମାଧ୍ୟମରେ ହାଇକୋର୍ଟ ଯିବାକୁ ପ୍ରସ୍ତାବ ପାରିତ କରିଥିଲେ। ନୋଏଲ ଟାଟାଙ୍କ ଅଧ୍ୟକ୍ଷତାରେ ଥିବା ଟାଟା ଟ୍ରଷ୍ଟ ପାଖରେ ଟାଟା ସନ୍ସର ପ୍ରାୟ ୬୬ ପ୍ରତିଶତ ଅଂଶଧନ ରହିଛି। ସେପ୍ଟେମ୍ବର ୧୭ ପ୍ରସ୍ତାବକୁ କାର୍ଯ୍ୟକାରୀ ନ କରିବା ପାଇଁ ଟାଟା ସନ୍ସ, ଏହାର ନିର୍ଦ୍ଦେଶକ ଓ ଅଧିକାରୀଙ୍କ ବିରୋଧରେ ସ୍ଥାୟୀ ନିଷେଧାଜ୍ଞା ଜାରି କରିବାକୁ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି। ସୂଚନାଯୋଗ୍ୟ, ଟାଟା ସନ୍ସ ବୋର୍ଡରେ ଟ୍ରଷ୍ଟର ଦୁଇ ଜଣ ମନୋନୀତ ନିର୍ଦ୍ଦେଶକ ନୋଏଲ ଟାଟା ଏବଂ ବେଣୁ ଶ୍ରୀନିବାସନ ଅଛନ୍ତି। ସେପ୍ଟେମ୍ବର ୧୭ ବୈଠକରେ ନୋଏଲ ଟାଟା ଚନ୍ଦ୍ରଶେଖରନଙ୍କ ପୁନଃ ନିଯୁକ୍ତି ବିରୋଧରେ ଭୋଟ ଦେଇଥିବା ବେଳେ ବେଣୁ ଶ୍ରୀନିବାସନ ଏହାକୁ ସମର୍ଥନ କରିଥିଲେ। ଟ୍ରଷ୍ଟର ଯୁକ୍ତି ଅନୁଯାୟୀ, ଏଓଏ ନିୟମ ମୁତାବକ ବୋର୍ଡର କୌଣସି ନିଷ୍ପତ୍ତି କେବଳ ନିର୍ଦ୍ଦେଶକମାନଙ୍କ ସଂଖ୍ୟା ଗଣନା ଉପରେ ନିର୍ଭର କରେ ନାହିଁ, ବରଂ ଟ୍ରଷ୍ଟ ଦ୍ୱାରା ମନୋନୀତ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଅତି କମ୍ରେ ଅଧିକାଂଶଙ୍କ ସମର୍ଥନ ପାଇବା ବାଧ୍ୟତାମୂଳକ। ତେଣୁ ଉଭୟ ମନୋନୀତ ନିର୍ଦ୍ଦେଶକଙ୍କ ସମର୍ଥନ ଆବଶ୍ୟକ ଥିଲା।