ମୁଦ୍ରା, ନୋଟ୍‌ର ତରୁଣ ସଂଗ୍ରାହକ

କଟକ ଅଫିସ,୪ା୭: ବୟସ ମାତ୍ର ୧୭ ବର୍ଷ। ଏ ବୟସରେ ସେ ୧୪୦ଟି ରାଷ୍ଟ୍ରର ନୋଟ୍‌ ଓ ୧୬୦ ରାଷ୍ଟ୍ରର ମୁଦ୍ରା ସଂଗ୍ରହ କଲେଣି। ମୁଦ୍ରା ସଂଗ୍ରହ ପ୍ରତି ତାଙ୍କର ଦୁର୍ବଳତା ଓ ଆବେଗ ରହିଛି। ଏଭଳି ନିଆରା ରୁଚି ରଖୁଥିବା କିଶୋର ଜଣକ ହେଲେ ଦେବାର୍ଚ୍ଚନ ଦିବ୍ୟାଙ୍ଗ। ନିଜ ଘରେ ‘ମାଇଁ ମିନି ମ୍ୟୁଜିୟମ’ ନାମରେ ଏକ ଆଲବମ୍‌ ରଖିଛନ୍ତି, ଯେଉଁଥିରେ ଏହି ସମସ୍ତ ମୁଦ୍ରା ରହିଛି। ସମଗ୍ର ବିଶ୍ୱର ମୁଦ୍ରାକୁ ଏଥିରେ ସ୍ଥାନିତ କରିବା ତାଙ୍କ ଲକ୍ଷ୍ୟ। ପାଠପଢ଼ା ସହ ବିଭିନ୍ନ ଦେଶର ମୁଦ୍ରା ସଂଗ୍ରହ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କଟକ ଶିଖରପୁର ଅଞ୍ଚଳର ଏହି ତରୁଣ।
ମାତ୍ର ୭ ବର୍ଷ ବୟସରେ ବିଭିନ୍ନ ଦେଶର ମୁଦ୍ରା ଓ ନୋଟ୍‌ ସଂଗ୍ରହ କରିବାରେ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ଦେବାର୍ଚ୍ଚନଙ୍କ ପରିବାର ବର୍ଷରେ ଥରେ ବିଭିନ୍ନ ଦେଶକୁ ବୁଲିବାକୁ ଯାଆନ୍ତି। ପିଲାଦିନେ ସେ ନିଜ ପରିବାର ସହ ନେପାଳ ଯାଇଥିଲେ। ଫେରିବା ବେଳେ ନେପାଳର କିଛି ମୁଦ୍ରା ତାଙ୍କ ବାପା ସାଙ୍ଗରେ ଆଣି ଆସିଥିଲେ। ଦେବାର୍ଚ୍ଚନଙ୍କୁ ୬ ବର୍ଷ ବୟସ ହୋଇଥିବା ବେଳେ ନିଜ ଘରେ ସେହି ଟଙ୍କା ଥିବା ଦେଖିଥିଲେ। ସେବେଠାରୁ ସେ ବିଭିନ୍ନ ଦେଶର ଟଙ୍କା ସଂଗ୍ରହ କରିବା ଆରମ୍ଭ କରିଥିଲେ। ତାଙ୍କ ଜେଜେବାପାଙ୍କ ପାଖରେ ଥିବା କିଛି ପୁରାତନ ଭାରତୀୟ ମୁଦ୍ରାକୁ ମଧ୍ୟ ସେ ନିଜ ଆଲବମ୍‌ରେ ରଖିଥିଲେ। ପରେ ନିଜ ସାଙ୍ଗସାଥୀ କିମ୍ବା ଯଦି କେହି ସମ୍ପର୍କୀୟ ବିଦେଶ ବୁଲିବାକୁ ଯାଆନ୍ତି, ସେମାନଙ୍କ ନିକଟରୁ ସେହି ଦେଶର ମୁଦ୍ରାକୁ ସେ ଆଣି ନିଜ ମିନି ମ୍ୟୁଜିୟମରେ ସଜାଇ ରଖୁଛନ୍ତି। ବିଭିନ୍ନ ୱେବ୍‌ସାଇଟ୍‌ ମାଧ୍ୟମରେ ବି ବିଭିନ୍ନ ଦେଶର ମୁଦ୍ରା ଅର୍ଡର କରିଥାନ୍ତି ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ନିଜ ଆଲବମ୍‌ରେ ପ୍ରାୟ ୧୪୦ଟି ଦେଶର ନୋଟ୍‌ ଏବଂ ୧୬୦ଟି ଦେଶର ମୁଦ୍ରା ସଂଗ୍ରହ କରି ରଖିପାରିଛନ୍ତି। ସେଥିମଧ୍ୟରୁ ଆମେରିକା, ଇଣ୍ଡୋନେସିଆ, ମ୍ୟାନ୍‌ମାରର ଟଙ୍କାକୁ ନିଜ ଆଲବମ୍‌ରେ ସ୍ଥାନିତ କରିଛନ୍ତି। ଏହାଛଡ଼ା ସୁଲତାନ ଓ ମୋଗଲ ସାମ୍ରାଜ୍ୟ ସମୟର ମୁଦ୍ରା ରହିଛି। ତେବେ ଏଥିପାଇଁ ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ଏହି ପ୍ରୟାସ ଆଗାମୀ ଦିନରେ ଜାରି ରହିବ ବୋଲି ଦେବାର୍ଚ୍ଚନ କହିଛନ୍ତି।