ଗୋଟିଏ ମୂଷା ଓ ବେଙ୍ଗ ପୋଖରୀରେ ରହୁଥିଲେ। ଯଦିଓ ଭିନ୍ନ, ସେମାନେ ଭଲ ବନ୍ଧୁ ଥିଲେ, ସେମାନେ ପରସ୍ପର କଥାବାର୍ତ୍ତା କରୁଥିଲେ, ଖାଦ୍ୟ ବାଣ୍ଟୁଥିଲେ ଏବଂ ଦେଖାଶୁଣା କରୁଥିଲେ। ଦିନେ ବେଙ୍ଗର ଏକ ସ୍ବାର୍ଥପର ଧାରଣା ଆସିଲା। ସବୁବେଳେ ମୂଷା ପାଖରେ ରହିବା ମଜାଦାର ଓ ଫଳପ୍ରଦ ହେବ ବୋଲି ଭାବି ସେ ଏକ ସୂତାର ଗୋଟିଏ ପାର୍ଶ୍ୱକୁ ନିଜ ଗୋଡ଼ରେ ଏବଂ ଅନ୍ୟ ପାର୍ଶ୍ୱକୁ ମୂଷାର ଗୋଡ଼ରେ ବାନ୍ଧିଦେଲା। ମୂଷା କିଛି ସନ୍ଦେହ କଲା ନାହିଁ- ସେ ତା’ ବନ୍ଧୁକୁ ବିଶ୍ୱାସ କଲା। ପରେ ଯେତେବେଳେ ବେଙ୍ଗ ପୋଖରୀରେ ପହଁରୁଥିଲା, ମୂଷାକୁ ଖାଦ୍ୟ ଖୋଜିବା ପାଇଁ କୂଳ ଦେଇ ଚାଲିବାକୁ ପଡ଼ିଲା। କିନ୍ତୁ ବେଙ୍ଗର ଗତି ମୂଷାର ଗୋଡ଼କୁ ଟାଣି ନେଇଥିଲା, ଯାହା ଫଳରେ ସେ ଝୁଣ୍ଟି ପଡ଼ିଲା ଏବଂ ଚିତ୍କାର କଲା। ଉପରେ ଉଡ଼ୁଥିବା ଏକ ବାଜ ଚିତ୍କାର ଶୁଣିଲା, ମୂଷାକୁ ଦେଖିଲା ଏବଂ ତଳକୁ ଝାମ୍ପି ଦେଲା। ଗୋଟିଏ ମୁହୂର୍ତ୍ତରେ ବାଜ ମୂଷାକୁ ଧରିଲା, କିନ୍ତୁ ଯେହେତୁ ମୂଷା ବେଙ୍ଗ ସହିତ ବନ୍ଧା ହୋଇଥିଲା, ସେ ଉଭୟଙ୍କୁ ଆକାଶକୁ ଉଠାଇନେଲା। ବେଙ୍ଗ, ଯିଏ ତା’ର ବନ୍ଧୁର ସ୍ବାଧୀନତାକୁ ବିଶ୍ୱାସଘାତ କରିଥିଲା, ଏବେ ତା’ର ବିଶ୍ୱାସଘାତର ଶିକାର ନିଜେ ହେଲା। ବ୍ୟକ୍ତିଗତ ଲାଭ ପାଇଁ ବନ୍ଧୁଙ୍କୁ ବିଶ୍ୱାସଘାତ କରିବା ବିଶ୍ୱାସ ଏବଂ ସୁରକ୍ଷା ଉଭୟକୁ ନଷ୍ଟ କରିପାରେ ଓ ଶେଷରେ କ୍ଷତି ପ୍ରାୟତଃ ବିଶ୍ୱାସଘାତକଙ୍କ ପାଖକୁ ଫେରି ଆସେ। ଏହା କାହାଣୀଟିଏ ହୋଇପାରେ, କିନ୍ତୁ ଏହି ଗୋଲାକାର ଦୁନିଆରେ ସ୍ବାର୍ଥପରତା ଓ ବିଶ୍ୱାସଘାତକତା କେବେନା କେବେ ନିଜସ୍ବ ଓ ସମୂହ କ୍ଷତି ସାଧନ କରିଥାଏ।
ଏହି କ୍ରମରେ ଆଜିର ପ୍ରସଙ୍ଗଟି ଉପରୋକ୍ତ ଗଳ୍ପ ସହିତ ବେଶ୍ ମେଳଖାଏ। ଏକ ନାଟକୀୟ ପଦକ୍ଷେପ ଭାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତ ସପ୍ତାହରୁ ଭାରତୀୟ ଆମଦାନୀ ଉପରେ ୫୦% ଶୁଳ୍କ ଲାଗୁ କରିଛନ୍ତି। ଆମେରିକା ଓ ଭାରତ ଦୀର୍ଘ ସମୟ ଧରି ନିଜକୁ ‘ରଣନୈତିକ ଅଂଶୀଦାର’ ଭାବରେ ବର୍ଣ୍ଣନା କରିଆସୁଛନ୍ତି। ତଥାପି ଟ୍ରମ୍ପ୍ଙ୍କ ହଠାତ୍ ଉଚ୍ଚ ଶୁଳ୍କ ଉଭୟ ଦେଶର ସହଭାଗିତାର ଭାବନାକୁ ଉଲ୍ଲଂଘନ କରିଛି। ଆମେରିକାର ଲାଭ ପାଇଁ ଭାରତ ଉପରେ ଚାପ ପକାଇବା ଲାଗି ଉଦ୍ଦିଷ୍ଟ ଏହି ପଦକ୍ଷେପ, ଆମେରିକାର ସ୍ବାର୍ଥକୁ କ୍ଷତି ପହଞ୍ଚାଇବାର ମଧ୍ୟ ଆଶଙ୍କା ସୃଷ୍ଟି କରିଛି। ଯେପରି ବେଙ୍ଗର ବିଶ୍ୱାସଘାତକତା ବେଙ୍ଗ ଓ ମୂଷା ଉଭୟଙ୍କୁ ଦୁର୍ବଳ କରିଦେଇଛି, ସେହିପରି ଲାଭ ହାସଲ କରିବା ପାଇଁ ଉଦ୍ଦିଷ୍ଟ ଶୁଳ୍କ ଉଭୟ ଅର୍ଥନୀତିକୁ କ୍ଷତି ପହଞ୍ଚାଇପାରେ ଏବଂ ବହୁଦିନର ବିଶ୍ୱାସ ଓ ସୁସମ୍ପର୍କକୁ ମଧ୍ୟ କ୍ଷତି ପହଞ୍ଚତ୍ବ।
ଭାରତୀୟ ରପ୍ତାନି ଉପରେ ଅଧିକ ଶୁଳ୍କ ଲାଗୁ କରିବା, ଆମେରିକାର ବାଣିଜ୍ୟ, ଭୂରାଜନୈତିକ ଏବଂ ରଣନୈତିକ ଚିନ୍ତାର ମିଶ୍ରଣକୁ ଉଲ୍ଲେଖ କରେ। ଏହି ପଦକ୍ଷେପ ପଛରେ ଏକ ପ୍ରମୁଖ କାରଣ ହେଉଛି ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ବାଣିଜ୍ୟ ଅସନ୍ତୁଳନ। ଭାରତ ୨୦୨୪ରେ ଆମେରିକାକୁ ୮୭ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା, ଯେତେବେଳେ ଆମଦାନୀ ଯଥେଷ୍ଟ କମ ଥିଲା, ଯାହାକୁ ଟ୍ରମ୍ପ୍ ଆମେରିକୀୟ ଶିଳ୍ପ ପାଇଁ ଅନୁଚିତ ଏବଂ କ୍ଷତିକାରକ ବୋଲି ବିଚାର କରନ୍ତି। ସେ ଯୁକ୍ତି କରନ୍ତି ଯେ, ଭାରତ ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ଶୁଳ୍କ ଏବଂ ଅଣ-ଶୁଳ୍କ ପ୍ରତିବନ୍ଧକ ବଜାୟ ରଖିଛି, ଯାହା ଆମେରିକୀୟ ବ୍ୟବସାୟ ପାଇଁ ଭାରତୀୟ ବଜାରରେ ପ୍ରବେଶ କରିବା କଷ୍ଟକର । ଶୁଳ୍କ ବୃଦ୍ଧିକୁ ପ୍ରୋତ୍ସାହିତ କରୁଥିବା ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଭାରତ ଦ୍ୱାରା ରୁଷୀୟ ଅଶୋଧିତ ତୈଳର ନିରନ୍ତର ଆମଦାନୀ, ଯାହା ରୁଷ ବିରୋଧରେ ଆମେରିକା ନେତୃତ୍ୱରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ଦୁର୍ବଳ କରେ। ଭାରତ ପ୍ରତିଦିନ ୨୦ ଲକ୍ଷ ବ୍ୟାରେଲ ପର୍ଯ୍ୟନ୍ତ ରୁଷୀୟ ତେଲ ରିହାତି ହାରରେ କିଣୁଛି, ଏହାକୁ ଘରୋଇ ଭାବରେ ବିଶୋଧନ କରୁଛି ଏବଂ ତା’ପରେ ପ୍ରସ୍ତୁତ ଉତ୍ପାଦ ରପ୍ତାନି କରୁଛି- ଯାହା ମଧ୍ୟରୁ କିଛି ପାଶ୍ଚାତ୍ୟ ବଜାରରେ ବିକ୍ରି ହେଉଛି। ଟ୍ରମ୍ପ୍ ଏହାକୁ କେବଳ ଆର୍ଥିକ ସୁଯୋଗବାଦ ଭାବରେ ନୁହେଁ ବରଂ ୟୁକ୍ରେନ୍ ବିବାଦ ମଧ୍ୟରେ ଏହାକୁ ବିଶେଷକରି କୂଟନୈତିକ ଅବମାନନା ଭାବରେ ମଧ୍ୟ ଦେଖନ୍ତି। ଏହା ବ୍ୟତୀତ ଚାଇନା ଏବଂ ରୁଷିଆ ସମେତ ଏକ ଭୂରାଜନୈତିକ ଗୋଷ୍ଠୀ, ବ୍ରିକ୍ସ ସହିତ ଭାରତର ଗଭୀର ସମ୍ପର୍କ ଓ ପରିବର୍ତ୍ତନଶୀଳ ବିଶ୍ୱସ୍ତରୀୟ ମେଣ୍ଟ ୱାଶିଂଟନ୍ରେ ଚିନ୍ତା ସୃଷ୍ଟି କରିଛି। ଟ୍ରମ୍ପ୍ ମଧ୍ୟ ଶୁଳ୍କକୁ ଜାତୀୟ ସୁରକ୍ଷା ଏବଂ ରଣନୈତିକ ବିଶ୍ୱସ୍ତତା ସହିତ ଯୋଡ଼ିଛନ୍ତି । ଯଦି ଭାରତ ରୁଷ ସହିତ ଶକ୍ତି ଏବଂ ସାମରିକ ବାଣିଜ୍ୟ ଜାରି ରଖେ, ତେବେ ଭାରତ ଆହୁରି ସମସ୍ୟାର ସମ୍ମୁଖୀନ ହୋଇପାରେ ବୋଲି ଆମେରିକା ଚେତାବନୀ ଦେଇଛି। ଭାରତ ଏହାର ଶକ୍ତି ସୁରକ୍ଷା ଏବଂ ଦୀର୍ଘକାଳୀନ ଚୁକ୍ତିନାମାକୁ ଉଲ୍ଲେଖ କରି ଏହି ପଦକ୍ଷେପଗୁଡ଼ିକୁ ଅନୁଚିତ ବୋଲି କହିଛି। ଯଦି ପରସ୍ପର ବାଣିଜ୍ୟ ଆଲୋଚନା ମାଧ୍ୟମରେ କିଛି ପରିବର୍ତ୍ତନ ନ ହୁଏ, ତେବେ ଏହା ଭାରତର ଆମେରିକା ରପ୍ତାନିକୁ ୮୫-୮୭ ବିଲିୟନ ଡଲାରରୁ ୪୦-୪୫ ବିଲିୟନ ଡଲାର ପର୍ଯ୍ୟନ୍ତ ପ୍ରଭାବିତ କରିପାରେ, ଯାହା ବୟନଶିଳ୍ପ, ଔଷଧ, ଅଳଙ୍କାର ଏବଂ ଯନ୍ତ୍ରପାତି ଭଳି ପ୍ରମୁଖ କ୍ଷେତ୍ରକୁ ପ୍ରଭାବିତ କରିପାରେ। ତିରୁପୁର ଏବଂ ଲୁଧିଆନା ଭଳି ଶିଳ୍ପାଞ୍ଚଳଗୁଡ଼ିକ ଅର୍ଡର ବାତିଲ ଓ ନିଯୁକ୍ତି ପ୍ରତି ବିପଦ ସୃଷ୍ଟି କରିବ ଏବଂ ଭିଏତ୍ନାମ ବିବର୍ତ୍ତିତ ବାଣିଜ୍ୟରୁ ଲାଭ ପାଇବାର ସମ୍ଭାବନା ରହିଛି। ଆର୍ଥିକ ଦୃଷ୍ଟିରୁ, ଡଲାର ବିପକ୍ଷରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି ଓ ଭାରତୀୟ ଶେୟାର ବଜାର ପ୍ରଭାବିତ ହୋଇଛି। ଅର୍ଥନୀତିଜ୍ଞମାନେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଜି.ଡି.ପି. ଅଭିବୃଦ୍ଧିରେ ୦.୪% ପ୍ରଭାବ ପଡ଼ିବ ବୋଲି ଆକଳନ କରିଛନ୍ତି, ଯଦିଓ କିଛି ଲୋକ ଏକ ନୀରବ ଦୀର୍ଘକାଳୀନ ପ୍ରଭାବ ଆଶା କରୁଛନ୍ତି।
ଟ୍ରମ୍ପ୍ଙ୍କ ଶୁଳ୍କ ସାମଗ୍ରିକ ବଜାର ଉପରେ ଗଭୀର ପ୍ରଭାବ ପକାଇ ନ ପାରେ। ବରଂ ଏହା ବୟନଶିଳ୍ପ, ଔଷଧ, ଇଲେକ୍ଟ୍ରୋନିକ୍ସ, କୃଷି ଏବଂ ଯନ୍ତ୍ରପାତି ରପ୍ତାନି ଭଳି କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ଭାରତ ଏକ ରକ୍ଷଣଶୀଳ ଓ ସୁପରିଚାଳିତ ଅର୍ଥନୀତି ଏବଂ ଏହାର ଉତ୍ପାଦଗୁଡ଼ିକ ଘରୋଇ ବଜାର ଉପରେ ପ୍ରାୟ ନିର୍ଭରଶୀଳ । ତେଣୁ ଶୁଳ୍କ ଅର୍ଥନୀତିକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିବାର ସମ୍ଭାବନା ନାହିଁ। ଆର୍ଥିକବର୍ଷ ୨୦୨୫ ସୁଦ୍ଧା ଭାରତର ସାମଗ୍ରୀ ଏବଂ ସେବା ରପ୍ତାନି ଜିଡିପିର ୨୧ ପ୍ରତିଶତ, ଯାହାକି କିଛି ଆଶ୍ୱସ୍ତି ପ୍ରଦାନ କରେ। ଏହା ବ୍ୟତୀତ କେବଳ ସାମଗ୍ରୀ ରପ୍ତାନି ଜିଡିପିର ୧୧%ରୁ କମ୍। ଭାରତର ସାମଗ୍ରିକ ରପ୍ତାନି ନିର୍ଭରଶୀଳତା କେବଳ ତୁଳନାତ୍ମକ ଭାବରେ କମ୍ ନୁହେଁ, ବରଂ ଆମେରିକାକୁ ଏହାର ସାମଗ୍ରୀ ରପ୍ତାନି ମଧ୍ୟ ଜିଡିପିର ପ୍ରାୟ ୨%ରୁ କମ୍, ଯାହା ଅତିରିକ୍ତ ଆଶ୍ୱାସନା ପ୍ରଦାନ କରୁଛି। କିନ୍ତୁ ସବୁଠାରୁ ବଡ଼ ସମସ୍ୟା ହେଉଛି ବିଶ୍ୱ ବାଣିଜ୍ୟ ମାନ୍ଦାବସ୍ଥା, ଯାହା ରପ୍ତାନି ଏବଂ କର୍ପୋରେଟ୍ ଆୟକୁ ପ୍ରଭାବିତ କରିବ। ଭାରତୀୟ ପୁଞ୍ଜି ବଜାରକୁ ବୈଦେଶିକ ପୁଞ୍ଜି ବିନିଯୋଗ ହ୍ରାସ ଘଟିବ।
ଅନ୍ତର୍ଜାତୀୟ ସହଯୋଗ ପାଇଁ ଶୁଳ୍କ ଯୁଦ୍ଧ ଏକ ଗମ୍ଭୀର ବିପଦ, ବିଶେଷକରି ଆଜିର ବିଶ୍ୱସ୍ତରୀୟ ଅର୍ଥନୀତିରେ ଯେଉଁଠାରେ ରାଷ୍ଟ୍ରଗୁଡ଼ିକ ବାଣିଜ୍ୟ, ନିବେଶ ଏବଂ ଯୋଗାଣ ଶୃଙ୍ଖଳ ମାଧ୍ୟମରେ ପରସ୍ପର ସହିତ ଜଡ଼ିତ। ଘରୋଇ ଶିଳ୍ପକୁ ସୁରକ୍ଷା ଦେବା ପାଇଁ କିମ୍ବା ରାଜନୈତିକ ଚାପ ପ୍ରୟୋଗ କରିବା ଲାଗି ଯେତେବେଳେ କୌଣସି ଦେଶ ଆମଦାନୀ ଉପରେ ଉଚ୍ଚ ଶୁଳ୍କ ଲାଗୁ କରେ, ଏହା ସାଧାରଣତଃ ପ୍ରଭାବିତ ରାଷ୍ଟ୍ରଗୁଡ଼ିକଠାରୁ ପ୍ରତିଶୋଧମୂଳକ କାର୍ଯ୍ୟ ଆରମ୍ଭ କରେ। ଏହା ବାଣିଜି୍ୟକ ଅଂଶୀଦାରମାନଙ୍କ ମଧ୍ୟରେ ବିଶ୍ୱାସକୁ ଦୁର୍ବଳ କରେ, ବିଶ୍ୱ ବାଣିଜ୍ୟ ପ୍ରବାହକୁ ବାଧା ଦେଇପାରେ ଏବଂ ବିଶ୍ୱ ବାଣିଜ୍ୟ ସଙ୍ଗଠନ ଭଳି ପ୍ରତିଷ୍ଠାନ ମାଧ୍ୟମରେ ଦଶନ୍ଧି ଧରି ନିର୍ମିତ ବହୁପାକ୍ଷିକ ଚୁକ୍ତିନାମାକୁ ଦୁର୍ବଳ କରିପାରେ। ଜଳବାୟୁ ପରିବର୍ତ୍ତନ, ଶକ୍ତି ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନ ଭଳି ଅନ୍ତର୍ଜାତୀୟ ସମସ୍ୟା ଉପରେ ଏକାଠି କାମ କରିବାର ସାମୂହିକ କ୍ଷମତାକୁ ହ୍ରାସ କରେ। ଶୁଳ୍କ ଯୁଦ୍ଧ ସେଠି ସୀମା ତିଆରି କରିପାରେ, ଯେଉଁଠି ପୂର୍ବରୁ ବନ୍ଧୁତାର ସେତୁ ଥିଲା । ଶୁଳ୍କ ବଜାରକୁ ସୁରକ୍ଷିତ କରିପାରେ, କିନ୍ତୁ ଦୀର୍ଘଦିନର ସମ୍ପର୍କକୁ ଯେ ବିଗାଡ଼ି ଦେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ଡ. ରଜନୀକାନ୍ତ ଖୁଣ୍ଟିଆ
ସହକାରୀ ପ୍ରଫେସର,
ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ
ମୋ: ୯୯୩୭୨୮୫୬୭୨


